ମାଲକାନାଗିରି କଣ କଳାପାଣି .....ନା ମାଲକାନାଗିରି କଣ ପନିସମେଣ୍ଟ ଜିଲ୍ଲା । କାହିଁକି ବିଜେଡିର ନେତା,ମନ୍ତ୍ରୀ, ବିଧାୟକ ମାନେ ବାରମ୍ବାର ଅଫିସରଙ୍କୁ ମାଲକାନାଗିରି ପଠାଇ ଦେବାର ଧମକ ଦେଉଛନ୍ତି । କାହିଁକି ଅଫିସରମାନଙ୍କୁ ବିଜେଡିର ଏ ନାଲିଆଖି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପରେ ଏବେ ପୁଣିଥରେ ବିବାଦରେ ଖୋଦ୍ ପୂର୍ବତନ ରାଜ୍ୟସଭା ସାଂସଦ ତଥା କଟକ ମହାନଗର ନିଗମର ମେୟର ସୁବାସ ସିଂ । ଆଉ ସର୍ବସମ୍ମୁଖରେ ସୁବାସ ଅଫିସରଙ୍କୁ ମାଲକାନାଗିରି ବଦଳାଇ ଦେବାର ଧମକ ଦେଇ ଏବେ ଆସିଛନ୍ତି ବିବାଦକୁ । ଆଉ ସୁବାସଙ୍କ ବିରୋଧରେ ଏବେ ତେଜୁଛି ଅସନ୍ତୋଷ ।
ମାଲକାନାଗିରି କଣ ଓଡିଶା ବାହାରେ କି । ମାଲକାନାଗିରିରେ କାମ କରିବା କଣ ଦଣ୍ଡ କି । ମାଲକାନାଗିରର ଲୋକ କଣ ମଣିଷ ନୁହଁନ୍ତି କି । ଶାନ୍ତ ସରଳ ଆଦିବାସୀ ଅଧୁଷିତ ମାଲକାନାଗିରି ଜିଲ୍ଲା ବିରୋଧରେ ଏପରି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ଜିଲ୍ଲାବାସୀ । ଆଉ ଏହାକୁ ନେଇ ଜିଲ୍ଲାରେ ପ୍ରକାଶ ପାଇଛି ପ୍ରତିବାଦ । ଆଉ ମେୟର ତୁରନ୍ତ କ୍ଷମା ମାଗିବାକୁ ଜିଲ୍ଲାବାସୀ କରିଛନ୍ତି ଦାବି ।
କାହିଁକି ସରକାରୀ ଅଫିସରଙ୍କୁ ଓଡିଶାର ଉପାନ୍ତ ଅଞ୍ଚଳକୁ ପଠାଇବାରଏମିତି ଧମକାଉଛନ୍ତି ବିଜେଡିର ବଡବଡ ନେତା..... ଅଫିସର ମାନଙ୍କୁ ନେତାଙ୍କ ଏପରି ଧମକ ମାଲକାନାଗିରି ସମେତ ଉପାନ୍ତ ଅଞ୍ଚଳରେ କାମ କରୁଥିବା ଅଫିସରଙ୍କ ମନୋବଳ ଭାଙ୍ଗୁନାହିଁ ତ । ଆଉ ସୁବାସ ସିଂଙ୍କ ଏପରି ମନ୍ତବ୍ୟକୁ ନେଇ ଏବେ ମାଲକାନାଗିରି ଜିଲ୍ଲାରେ ତେଜୁଛି ଅସନ୍ତୋଷ ।