ରାକ୍ଷୀପାଟଣା ଗାଁର ଅଭିରାମ ସ୍ୱାଇଁ ଓ ସତ୍ୟଭାମା ସ୍ୱାଇଁଙ୍କ ଏକମାତ୍ର ପୁଅ ସଂଗ୍ରାମ ସ୍ୱାଇଁ । ସଂଗ୍ରାମ ଜନ୍ମରୁ ଦିବ୍ୟାଙ୍ଗ । ବାପା ଅଭିରାମ ଜଣେ ଦାଦନ ଶ୍ରମିକ ଭାବେ କଲିକତାରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳିବା କଷ୍ଟକର ହୋଇପଡେ । ପରିବାରର ଦାରିଦ୍ର୍ୟ ସତ୍ୱେ କିଛି କରିବା ପାଇଁ ପିଲାଦିନୁ ସଂଗ୍ରାମ ଆଶାପୋଷଣ କରିଥିଲେ । ଲକ୍ଷ୍ମୀନାରାୟଣ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ଧର୍ମଶାଳା ମହାବିଦ୍ୟାଳୟରୁ ଯୁକ୍ତଦୁଇ ବିଜ୍ଞାନରେ ପାସ କରିଥିଲେ । ଏହାପରେ ସେ ମେଡିକାଲ ପଢିବା ପାଇଁ ନିଟ୍ ପରୀକ୍ଷା ଦେଇ କୃତକାର୍ଯ୍ୟ ହେବା ପରେ ବୁର୍ଲା ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରଭାବେ ନାମ ଲେଖାଇ ପରିବାର ତଥା ଗ୍ରାମବାସୀଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ।
ନିଜର ନିଷ୍ଠା ଓ ଅଧ୍ୟବସାୟ ଫଳରେ ସଂଗ୍ରାମ ନିଟ୍ ପାରୀକ୍ଷାରେ ୧୭୬୨ ରାୟଙ୍କରେ ସଫଳତାର ସହ ଉତିର୍ଣ୍ଣ ହୋଇଥିବା ବେଳେ ଦିନକୁ ଛ ରୁ ସାତ ଘଂଟା ପାଠ ପଢିବା ପାଇଁ ପରିଶ୍ରମ କରନ୍ତି । ସାଙ୍ଗମାନଙ୍କଠାରୁ ବହି ମାଗିଆଣି ପଢୁଥିବା ବେଳେ କେବେ କେବେ କଲେଜ ଲାଇବ୍ରେରୀରୁ ବହିଆଣି ପାଠ ପଢିଛନ୍ତି । ସଂଗ୍ରାମ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କୁ ଭତ୍ତାଟିଏ ମିଳି ପାରିନାହିଁ । କିମ୍ବା ତାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇନାର୍ହି । ରାଜ୍ୟ ସରକାର ସଂଗ୍ରାମଙ୍କୁ ସହାୟତା ଯୋଗାଇ ଦେଲେ ତାଙ୍କର ପାଠପଢା ସୁଗମ ହୋଇପାରିବ ବୋଲି ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।