୨୦୨୧ରେ ପ୍ରେମ ପାଇଁ ୧୩୨ ଜଣ ଆତ୍ମହତ୍ୟା କରିଥିଲେ ଯେଉଁମାନଙ୍କ ମଧ୍ୟରୁ ୭୦ ଜଣ ପୁଅ ଥିବାବେଳେ ୬୨ ଜଣ ଥିଲେ ଝିଅ । ସେହିପରି ସାମାଜିକ ତଥା ଲୋକଲଜ୍ଜା ଭୟରେ ୧୮ ଜଣ ଆତ୍ମହତ୍ୟା କରିଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୧୬ ପୁଅ ଓ ୨ ଝିଅ । ପାରିବାରିକ କଳହ ପାଇଁ ୪୩୩, ବେକାରୀ ପାଇଁ ୨୪, ଜମିଜମା ଗଣ୍ଡଗୋଳ କାରଣରୁ ୧୪ ଜଣ ୨୦୨୧ରେ ଆତ୍ମହତ୍ୟା କରିଥିବା କଥା ତଥ୍ୟରୁ ଜଣାପଡ଼ିଛି । ବିଭିନ୍ନ କାରଣରୁ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ଯାହାକୁ ନେଇ ମନୋସ୍ତତ୍ତ୍ବବିତ୍ ଚିନ୍ତା ପ୍ରକଟ କରିଛନ୍ତି ।
ତେବେ ୨୦୨୨ରେ ଏଯାଏ ଆମ ରାଜ୍ୟରେ ବୃଦ୍ଧି ପାଇଥିବା ଆତ୍ମହତ୍ୟାଜନିତ କେତକ ବଡ଼ ଘଟଣା ବେଶି ଚିନ୍ତା ବଢ଼ାଇଛି । ଗତ ୮ ମାସ ମଧ୍ୟରେ ରାଜଧାନୀ ଭୁବନେଶ୍ବର ଦେଖିଛି ଅନେକ ଆତ୍ମହତ୍ୟା । ମଡ଼େଲ ସୌମ୍ୟରଂଜନ ପାଣିଗ୍ରାହୀ, ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି, ଛାତ୍ରୀ ଆଶ୍ରିତା ସେନାପତି, ଅଭିନେତ୍ରୀ ରଶ୍ମୀରେଖା ଓଝା, ଆଇଟି ପ୍ରଫେସନାଲ ଶ୍ବେତା ଉତ୍କଳ କୁମାରୀ, ଗୃହିଣୀ ପ୍ରଜ୍ଞା ପାରମିତା ଏବଂ ନିକଟରେ କୁନି କହଁର ନାମକ ଜଣେ ଛାତ୍ରୀଙ୍କ ହତ୍ମହତ୍ୟା ରାଜଧାନୀବାସୀଙ୍କ ଛାତି ଥରେଇ ଦେଇଛି । ସବୁଠୁ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି କଟକର ପୋକ୍ସୋ କୋର୍ଟ ଜଜ୍ ସୁବାସ ଚନ୍ଦ୍ର ବିହାରୀଙ୍କ ଅତ୍ମହତ୍ୟା । ରାଜ୍ୟରେ ଦୈନିକ ପ୍ରାୟ ୧୫ ଜଣ ବିଭିନ୍ନ କାରଣରୁ ଆତ୍ମହତ୍ୟା କରୁଥିବାର ଜଣାପଡ଼ିଛି ।
ପ୍ରତିବର୍ଷ ସେପ୍ଟମ୍ବର ୧୦ରେ ପାଳିତ ହୋଇ ଆସୁଛି ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ପ୍ରତିବର୍ଷ ୭ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟାର ରାସ୍ତା ଆପଣେଇ ନେଇଥାନ୍ତି । ଭାରତରେ ୨୦୨୦ରେ ତୁଳନାରେ ୨୦୨୧ରେ ଆତ୍ମହତ୍ୟା ହାର ୭.୨ ପ୍ରତିଶତ ବଢ଼ିବାର ଏନସିଆରବି ତଥ୍ୟରୁ ଜଣାପଡ଼ିଛି ଯାହା ସମସ୍ତଙ୍କ ପାଇଁ ଏକ ଗମ୍ଭୀର ଚିନ୍ତାର ପ୍ରସଙ୍ଗ ।