ଗତକିଛି ଦିନ ହେବ ରାଜଧାନୀରେ ବଢ଼ି ଚାଲିଛି ଆତ୍ମହତ୍ୟା । ଗତ ସପ୍ତାହରେ ହିଁ ୭ ଜଣ ଆତ୍ମହତ୍ୟା କରିଥିବା ସୂଚନା । କଣ ହୋଇପାରେ ଏହାର କାରଣ? ଆତ୍ମହତ୍ୟା ପଛରେ ସର୍ବାଧିକ କାରଣ ପ୍ରେମ ରହିଥିବା ବେଳେ ଘରୋଇ କଳି ଏବଂ କର୍ମକ୍ଷେତ୍ରରେ ମାନସିକ ଚାପ ମଧ୍ୟ ଦେଖିବାକୁ ମିଳିଛି । ଆତ୍ମହତ୍ୟା କରିବାରେ ସବୁଠାରୁ ଆଗରେ ରହିଛନ୍ତି ୧୮ ରୁ ୨୫ ବର୍ଷୀୟ ଯୁବପିଢ଼ି । ପ୍ରେମ, ପଢ଼ାରେ ଚାପ ସହ ଘରେ ଶୁଣିଥିବା ଗାଳି, ଏମାନଙ୍କର ଆତ୍ମହତ୍ୟା କରିବାର ପ୍ରମୁଖ କାରଣ ।
ଏହାପରେ ଆସନ୍ତି ୨୫ ରୁ ୪୦ ବର୍ଷୀୟ ଯୁବପିଢ଼ି । ଏମାନେ ମୁଖ୍ୟତଃ ଘରୋଇ କଳି ଏବଂ କର୍ମକ୍ଷେତ୍ରରେ ପଡ଼ୁଥିବା ଚାପକୁ ନେଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତିକୁ ବାଛିଥାନ୍ତି । ଏହି ପରିପ୍ରେକ୍ଷୀରେ ଦେଖିଲେ ଚଳିତ ବର୍ଷ ରାଜଧାନୀରେ ପ୍ରାୟ ୫୦ ଜଣ ଆତ୍ମହତ୍ୟା କରିଛନ୍ତି ।
ସେ ମଡ଼େଲର ହୁଅନ୍ତୁ କିମ୍ବା ଡାକ୍ତର, ବୁଦ୍ଧିଜୀବୀ ହୁଅନ୍ତୁ କିମ୍ବା ଛାତ୍ର ଏକ ମାନସିକ ବ୍ୟାଧି ଭଳି ଆତ୍ମହତ୍ୟା ପ୍ରବଣତା ସମାଜକୁ ଗ୍ରାସ କରି ଚାଲିଛି । ଗତ ୪ ବର୍ଷ ମଧ୍ୟରେ ଭୁବନେଶ୍ବରରେ ୯୮୫ ଟି ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । ୨୦୧୭ ରେ ୨୩୧ ଟି ଆତ୍ମହତ୍ୟା ମାମଲା ରୁଜୁ କରା ଯାଇଥିବା ବେଳେ ୨୦୧୮ ରେ ୨୨୪ ଟି ଆତ୍ମହତ୍ୟା ମାମଲା ରୁଜୁ କରାଯାଇଛି ।
୨୦୧୯ ରେ ୨୨୦, ୨୦୨୦ ରେ ୩୧୦ ଟି ଆତ୍ମହତ୍ୟା ମାମଲା ରୁଜୁ କରା ଯାଇଥିଲା । ତେବେ ଏହି ସମୟ କରୋନା ଚାଲିଥିବାରୁ ରୋଜଗାର ହରାଇ ଆତ୍ମହତ୍ୟା କରିଥିବା ବିଶ୍ଲଷଣରୁ ଜଣା ପଡ଼ିଛି । ମନସ୍ତତ୍ତ୍ବବିତଙ୍କ କହିବା ହିସାବରେ ଜଣେ ବ୍ୟକ୍ତି ସର୍ବାଧିକ ଚାପ ଅନୁଭବ କରିବା ପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥାଏ ।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...