ସୁନ୍ଦରୀକୁ ନେଇ ରାଜ୍ୟ ସରକାରଙ୍କ ସମସ୍ୟା ବଢିଲା । ତୁରନ୍ତ କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଫେରାଇବାକୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସୁନ୍ଦରୀ ଫେରିଯିବ କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ । ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିଷ୍ପତ୍ତି ଏଇଥିପାଇଁ, କାରଣ ସୁନ୍ଦରୀ ବାଘର ଯତ୍ନ ନେଇପାରିଲାନି ବନ ବିଭାଗ । ସାତକୋଶିଆରେ ସୁନ୍ଦରୀକୁ ଛୋଟ ଏନକ୍ଲୋଜରରୁ ବାହାରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଦୀର୍ଘ ସମୟ ଧରି ଏନକ୍ଲୋଜରରେ ରହିବାରୁ ସୁନ୍ଦରୀର ଶିକାର ପ୍ରବୃତ୍ତି ବଦଳିଛି । ଶିକାର ପ୍ରବୃତ୍ତି ଫେରାଇ ଆଣିବାକୁ ଉପଯୁକ୍ତ ସ୍ଥାନରେ ସୁନ୍ଦରୀକୁ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ରାଜ୍ୟର ବନ ବିଭାଗକୁ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ କଡ଼ା ସମାଲୋଚନା । କେନ୍ଦ୍ରର ଅର୍ଥକୁ ଠିକ ଭାବରେ କରିନାହାନ୍ତି ଖର୍ଚ୍ଚ । ବାରମ୍ବାର ଅବଗତ ସତ୍ତ୍ବେ ଗୁରୁତ୍ବ ଦେଉନି ଓଡ଼ିଶା ବନବିଭାଗ ।
ଓଡ଼ିଶାରେ ରହିଲେ ବି ଏନକ୍ଲୋଜରରେ, ମଧ୍ୟପ୍ରଦେଶ ଗଲେ ବି ସେହି ଏନକ୍ଲୋଜରରେ ରହିବ ସୁନ୍ଦରୀ । ତେବେ ଓଡ଼ିଶାର ବନବିଭାଗର ଅପାରଗତାକୁ ପଦାରେ ପକାଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ । ଏବେ ନିର୍ଦ୍ଦେଶ ଆସିଯିବା ପରେ ନିଜ ପକ୍ଷ ରଖିବେ ଅନୁଗୁଳ ଡିଏଫଓ । ସେପଟେ ବିଶେଷଜ୍ଞଙ୍କ ମତ, ଏବେ ରାଜ୍ୟ ପାଇଁ ସୁପ୍ରିମକୋର୍ଟ ଏକମାତ୍ର ଭରସା ।