ପୁଅ ଲଳିତ ସାହୁ ଟେନସନ୍ ରେ ଥିଲା। ଏ କଥା କହୁଛନ୍ତି ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ବାପା । ଆଉ ଏହି ଚିଠି ଦେଖନ୍ତୁ ଏଥିରେ ଆଜି ଲଳିତ ବାପା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ପୁଅ ଖୁସିରେ ଥିଲା ।
ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନରେ ଲଳିତଙ୍କ ମୃତଦେହ ମିଳିବା, ରାତି ଅଧିଆ ପୋଷ୍ଟମର୍ଟମ ହେବା ଘଟଣାରେ ବିବାଦରେ ଖୋଦ୍ ମନ୍ତ୍ରୀ ନବକିଶୋର ଦାସଙ୍କ ଭୂମିକା । ଆଉ ଏହି ସମୟରେ ପରିବାର ସଦସ୍ୟଙ୍କ ବୟାନ୍ ଆହୁରି ସନ୍ଦେହକୁ ଦୃଢୀଭୂତ କଲା । ଆଉ ଲଳିତର ବାପା ଓ ଭାଇ ପୋଲିସ ପାଖରେ ଆସି ଅଭିଯୋଗ କରିବା ସହ ତାଙ୍କ ପରିବାର ଚିନ୍ତାରେ ଥିବା କହୁଛନ୍ତି । ଭାଇ ସନ୍ଧ୍ୟା ୭ଟାରେ ଏପରି ଘଟଣା ଘଟିଥିବା କହୁଥିବା ବେଳେ ପୋଲିସ ଉପସ୍ଥିତ ଥିଲା କି ନାହିଁ ତାହା ମଧ୍ୟ କହି ପାରୁନାହାନ୍ତି । ଯାହାକି ଲଳିତ ମୃତ୍ୟୁ ରହସ୍ୟକୁ ଆହୁରି ଘନୀଭୂତ କରୁଛି । ଆଉ ବିବାଦକୁ ସିଧାସିଧା ଚାଲିଆସୁଛନ୍ତି ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।
ସେପଟେ ରାତି ଅଧିଆ ପୋଲିସ ପୋଷ୍ଟମର୍ଟମ କରିବାକୁ ନେଇ ବଡ ପ୍ରଶ୍ନ ଉଠିଛି । ଲୋକଙ୍କ ଅଭିଯୋଗ, ଶବ ବ୍ୟବଛେଦ ଗୃହରେ ପାଞ୍ଚ-ଛଅ ଦିନ ଧରି ଶବ ପଚି ନଷ୍ଟ ହେଉଛି, ଡାକ୍ତର ପୋଷ୍ଟମର୍ଟମ କରୁନାହାନ୍ତି । ହେଲେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ ଏପରି ଏକ ଘଟଣା ଘଟିବା ଆଉ ଗାଇଡଲାଇନ୍ ଭାଙ୍ଗି ରାତାରାତି ପୋଷ୍ଟମର୍ଟମ ହେବା ପଛରେ ରହିଛି କି ବଡ ରହସ୍ୟ । ଆଉ ଏହି ରହସ୍ୟକୁ ଓଡିଶା ପୋଲିସ ଖୋଜି ବାହାର କରିପାରିବ ନାହିଁ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ରାଜନେତା, ବୁଦ୍ଧିଜୀବି ଓ ଆଇନଜୀବି ।
କେତେବେଳେ ଲଳିତର ମୃତ୍ୟୁ ଘଟିଲା ତାର ସମୟକୁ ନେଇ ବଡ ସନ୍ଦେହ । ପୋଷ୍ଟମର୍ଟମ ସମୟରେ ଫଟୋଗ୍ରାଫି ହୋଇଛି କି ନାହିଁ ତାହାକୁ ନେଇ ବଡ ପ୍ରଶ୍ନ ଉଠିଥିବା ବେଳେ ଜିଲ୍ଲା ପୋଲିସର ବଡ ବଡ ଅଧିକାରୀଙ୍କ କଥାରେ ରହୁନି ତାଳମେଳ । ଯାହା ଏହି ଘଟଣାକୁ ଆହୁରି ସନ୍ଦେହ ଭିତରକୁ ଟାଣି ନେଉଛି ।
ରୋଷେୟା ଲଳିତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା । ଆଉ ଏହା ଘଟଣା ପଛରେ ରହିଛି କି ବଡ ଷଡଯନ୍ତ୍ର । ଏହାକୁ ନେଇ ଏବେ ସୃଷ୍ଟି ହୋଇଛି ବଡ ପ୍ରଶ୍ନ ଚିହ୍ନ ।