ଟ୍ବିନ୍ ସିଟିରେ ବିଜେପି ଓ ବିଜେଡିର ପ୍ରାର୍ଥୀଙ୍କୁ ନେଇ ସସପେନ୍ସ ଜାରି ରହିଛି । ଆଜି ଗୋଟିଏ ଦିନରେ କଟକରେ ୫ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଉ ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପୋଲିସ।
ଭୁବନେଶ୍ଵର ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ଟିକେଟ ଦିଆଯିବା ସହ ୪୦ରୁ ଅଧିକ କର୍ପୋରେଟର ଟିକେଟ ବାଣ୍ଟିଛି କଂଗ୍ରେସ। ସେପଟେ ମେୟର ପ୍ରାର୍ଥୀଙ୍କ ନାମ ବିଜେପି ଘୋଷଣା କରିନଥିଲେ ମଧ୍ୟ ନେତାଙ୍କ ସହ ବିରାଟ ପଟୁଆରାରେ ଆସି ନାମାଙ୍କନ ଭରୁଛନ୍ତି ଆଶାୟୀ ପ୍ରାର୍ଥୀ । ବିଜେଡି କିନ୍ତୁ କହିଛି, ଦଳରେ କନଫ୍ୟୁଜନ ନାହିଁ, ଶୀଘ୍ର ଚୂଡାନ୍ତ ତାଲିକା ପ୍ରକାଶ ପାଇବ ।
ବିଜେପିରୁ ୧୪ ଜଣ ଏବଂ ବିଜେଡି ଆଶାୟୀ ଭାବେ ଜଣେ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସେପଟେ ଏଯାବତ ୫୫୨ ଫର୍ମ ବିକ୍ରି ସରିଥବା ବେଳେ, ଏକାଧିକ ପ୍ରାର୍ଥୀପତ୍ର ଦାଖଲ କରିବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ୧୫ ଜଣ ଯଦିଓ ମେୟର ପାଇଁ ଫର୍ମ ନେଇଛନ୍ତି କିନ୍ତୁ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବା ସୂଚନା ମିଳିଛି ।
ସେପଟେ CMC ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ । ଆଜି ଗୋଟିଏ ଦିନରେ ୫ ଜଣ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ଦଳୀୟ ଟିକେଟ ଘୋଷଣା ହୋଇ ନ ଥିବାରୁ ବିଜେପି ଓ ବିଜେଡିର ଆଶାୟୀମାନେ ଦୁଇ ଦୁଇଟି ସେଟରେ ପ୍ରାର୍ଥୀପତ୍ର ଦାଖଲ କରୁଥିବା ଦେଖିବାକୁ ମିଳିଛି । ସେପଟେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି କଟକ କମିଶନରେଟ ପୋଲିସ । ପେଶାଦାର ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯିବା ସହ ପୂର୍ବରୁ ଅପରାଧିକ ମାମଲାରେ ସାମିଲ ଥିବା ଅପରାଧୀଙ୍କ ଲିଷ୍ଟ ତିଆରି ହୋଇଛି । ଏହା ବ୍ୟତୀତ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଧାରୀଙ୍କୁ ନିଜର ନିକଟସ୍ଥ ଥାନାରେ ବନ୍ଧୁକ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ବେଆଇନ ନିଶା କାରବାର ଓ ଅପରାଧିକ କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖାଯାଇଛି । ଏସବୁ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାର୍ଥୀପତ୍ର ଦାଖଲ କେନ୍ଦ୍ରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । କଂଗ୍ରେସ ପକ୍ଷରୁ କଟକ ଓ ଭୁବନେଶ୍ବରରେ ମେୟର ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ, ଏବେ ସମସ୍ତଙ୍କ ନଜର ଉଭୟ ବିଜେପି ଓ ବିଜେଡି ଉପରେ ରହିଛି।