ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଆଜି ରାଜଧାନୀରେ ଦିନ ତାପମାତ୍ରା ୪୨.୬ ଡିଗ୍ରୀ। ପ୍ରଚଣ୍ଡ ତାତି ସାଙ୍ଗକୁ ଝାଞ୍ଜିମାଡ଼ ପୂରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଆଉ ଏହାର ସିଧାସଳଖ ପ୍ରଭାବ ମିଠା ବ୍ୟବସାୟ ଉପରେ ପଡ଼ିଛି। ପାହାଳରେ ମିଠା ବ୍ୟବସାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବେପାର ୭୦ ପ୍ରତିଶତ ହ୍ରାସ ଘଟିଛି। ପୂର୍ବରୁ ଜଣେ ବ୍ୟବସାୟୀ ଅନ୍ୟୁନ ୫୦ ହଜାର ଟଙ୍କାର ମିଠା ବିକ୍ରି କରୁଥିବା ବେଳେ ଏବେ ତାହା ୫ରୁ ୧୦ ହଜାରକୁ ଖସି ଆସିଛି। ବେଳେବେଳେ ଏତକ ବି ହେଉନି। ଅପରପକ୍ଷେ ପ୍ରବଳ ଗରମ ଯୋଗୁଁ ଯେଉଁ ମିଠା ୪ରୁ ୫ଦିନ ପର୍ଯ୍ୟନ୍ତ ରହିପାରୁଥିଲା ତାହା ଏବେ ୨ ଦିନରୁ ଅଧିକ ରଖି ହେଉନି। ଫଳରେ ବ୍ୟବସାୟୀଙ୍କ କୁଇଣ୍ଟାଲ କୁଇଣ୍ଟାଲ ମିଠା ନଷ୍ଟ ହେଉଛି ବୋଲି କହିଛନ୍ତି ମିଠା ବ୍ୟବସାୟୀ।
ପୂର୍ବରୁ ପାହାଳରେ ମିଠା ଦୋକାନ ସକାଳ ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିଥାଏ। ପାହାଳ ମିଠାର ଏକ ସ୍ବତନ୍ତ୍ର ଚାହିଦା ଥିବାରୁ କଟକ-ଭୁବନେଶ୍ବର ଦେଇ ଯାଉଥିବା ଲୋକେ ଏଠାରେ ଘଡ଼ିଏ ଅଟକି କେଜି କେଜି ମିଠା ବୋହି ନିଅନ୍ତି।
ଏହାବ୍ୟତୀତ ବାହାଘର, ଜନ୍ମଦିନ, ବ୍ରତଘର, ଏକଦଶାହ ଭଳି ଉତ୍ସବରେ କଟକ, ଭୁବନେଶ୍ବରବାସୀ ପାହାଳ ମିଠାକୁ ପ୍ରାଧାନ୍ୟ ଦେଇଥା’ନ୍ତି। କିନ୍ତୁ ଗତ କିଛି ଦିନ ହେଲା ହେଉଥିବା ପ୍ରବଳ ଟାଣ ଖରା ବ୍ୟବସାୟୀଙ୍କ ପାଇଁ ବଇରି ସାଜିଛି। ଫଳରେ ନିଜ ବ୍ୟବସାୟ ନେଇ ଚିନ୍ତାରେ ପଡ଼ିଛନ୍ତି ବ୍ୟବସାୟୀ। ଏବେ ଛେନା କିଲୋ ୧୮୦ ଟଙ୍କା ଥିବାବେଳେ ଆଗକୁ ଆହୁରି ବଢିବ। ଏହି ସମୟରେ ବେପାର ନହେବା ବ୍ୟବସାୟୀଙ୍କ ପାଇଁ ବେଡି ଉପରେ ନଳିତା ବିଡା।
ଅଧିକ ପଢନ୍ତୁ ଓଡିଶା ଖବର