ଭୁବନେଶ୍ୱର: ବାତ୍ୟା ଫୋନି ରାଜ୍ୟରେ ଅନେକ ଅସୁବିଧା ଦେଖିବାକୁ ମିଳିଛି । ଆଉ ଫୋନି ପରେ ରାଜ୍ୟରେ ତାତିର ପ୍ରକୋପ ଦେଖିବାକୁ ମିଳିଛି । ବଲାଙ୍ଗୀରରୁ ବାଲେଶ୍ୱର ହେଉ ଅଥବା ଟିଟିଲାଗଡ଼ରୁ ସମ୍ବଲପୁର ସବୁଠାରେ ପୁଣି ଥରେ ଖରା ପ୍ରକୋପ ଅନୁଭୂତ ହେଲାଣି । କିଛି ଦିନ ବ୍ୟବଧାନରେ ସବୁଠି ଲେଉଟିଛି ତାତି । ଦୁଇଦିନ ହେଲା ଦୁଇରୁ ତିନି ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ୁଥିବାରୁ ତାତିରେ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି ସାରା ରାଜ୍ୟ । ପୂର୍ବାହ୍ନରୁ ଡହଡହ ତାତିରେ ଅସ୍ତବ୍ୟସ୍ତ ହୋଇଥିଲା ଟିଟିଲାଗଡ଼ ଓ ବଲାଙ୍ଗୀର। ଏଠାକାର ତାପମାତ୍ରା ୪୪.୫ ଡିଗ୍ରିରେ ପହଞ୍ଚିଛି । ଅନୁରୂପ ଭାବେ ବଲାଙ୍ଗୀରର ତାପମାତ୍ରା ବି ୪୪.୧ ଡିଗ୍ରି ଛୁଇଁଛି । ମୋଟ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଉପକୂଳ ଓଡ଼ିଶାର ତାପମାତ୍ରା ଅପେକ୍ଷାକୃତ କମ୍ ରହିଛି।
ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସଙ୍କ କହିବା କଥା ହେଉଛି ଯେ ଏଣିକି ତାପମାତ୍ରା ବଢ଼ିବ। ଉପକୂଳ ଓଡ଼ିଶା ଅପେକ୍ଷା ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ। ୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ କାଳବୈଶାଖୀ ଆଶଙ୍କା ରହିଛି । ଏହାପରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ତାହାକୁ ଦୃଷ୍ଟିରେ ରଖି ୧୦ତାରିଖଠାରୁ ବାଲେଶ୍ବର, ବରଗଡ଼ ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୟାଗଡ଼ ଓ ନବରଙ୍ଗପୁର ଜିଲ୍ଲା ପାଇଁ ହିଟ୍ ୱେଭଜାରି କରାଯାଇଛି।
