ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଥିବା ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ପାଇଁ ହେଉଥିବା କାର୍ଯ୍ୟ ବେଆଇନ ଚୋରା ପାହାଡ଼ ମାଟିରେ ହେଉଥିବା ନେଇ ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ ଅଭିଯୋଗ କରିବା ସହିତ ତାଙ୍କ ନେତୃତ୍ୱରେ ବିଜେପିର ଏକ ଟିମ ସ୍କୁଲ ପରିସରରେ ପହଞ୍ଚି ହେଉଥିବା କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି।
ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲର ମାନ୍ୟତା ପାଇବା ପରେ ସ୍କୁଲର ଉନ୍ନତିମୂଳକ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟକୁ ଖଇରା ବିଡ଼ିଓ ପର୍ଶୁରାମ ପଣ୍ଡା ଏବଂ ବିଭାଗୀୟ ଯନ୍ତ୍ରୀ ସ୍ମିତାଶ୍ରୀ ଦାସ ଅନୁଧ୍ୟାନ କରୁଛନ୍ତି । ହେଲେ ଏହି କାର୍ଯ୍ୟରେ ବେଆଇନ ଭାବେ ଚୋରା ପାହାଡ଼ ମାଟି ବ୍ୟବହାର ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳ ବାସୀ ବିଜେପି ମୁଖପତ୍ର ଠାକୁର ରଞ୍ଜିତ ଦାସଙ୍କୁ ଜଣାଇଥିଲେ।
ଆଜି ଶ୍ରୀ ଦାସଙ୍କ ସମେତ ଖଇରା ବିଜେପି କାର୍ଯ୍ୟକର୍ତାମାନେ ଖଇରା ସରକାରୀ ବିଦ୍ୟାଳୟରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ସେଠାରେ ଉପସ୍ଥିତ ଥିବା ବିଡ଼ିଓ ଏବଂ ବିଭାଗୀୟ ଯନ୍ତ୍ରୀଙ୍କୁ ବେଆଇନ ଭାବେ ଚୋରାରେ ପାହାଡ଼ ମାଟି ଆଣି ସ୍କୁଲ କାର୍ଯ୍ୟ ହେଉଥିବା ନେଇ ପଚାରିବା ସହିତ ଏହାର ତଦନ୍ତ ଦାବି କରିଛନ୍ତି । ସ୍କୁଲ କାର୍ଯ୍ୟରେ ନିୟୋଜିତ ହେଉଥିବା ପାହାଡ଼ ମାଟିକୁ ଶାରୀଶୁଆ ପାହାଡ଼ରୁ ବେଆଇନ ଭାବେ ରାତି ଅଧିଆ ଚୋରାରେ ଅଣାଯାଇଥିବା ବିଜେପି ନେତା ଶ୍ରୀ ଦାସ ଅଭିଯୋଗ କରିବା ସହିତ ଶାରୀଶୁଆ ପାହାଡ଼ରେ ୧୪୪ ଧାରା ଲାଗୁହୋଇଥିବା ସ୍ୱତେ ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀଙ୍କ ହାତବାରିସ ସାଜି ସରକାରୀ ଅଧିକାରୀମାନେ ବେଆଇନଭାବେ ପାହାଡ଼ ମାଟି ଚୋରା ଚାଲାଣ କରି ସରକାରୀ କାର୍ଯ୍ୟ କରୁଥିବା ଅଭିଯୋଗ କରିବା ସହିତ ଖୋଦ ସରକାରୀ ଅଧିକାରୀ କିଭଳି ରାତି ଅଧିଆ ବେଆଇନ ଭାବେ ପାହାଡ଼ ମାଟି ଚୋରା ଚାଲାଣ କରି କାର୍ଯ୍ୟ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଏହି ଅଞ୍ଚଳରେ ଘରକାର୍ଯ୍ୟ ପାଇଁ ସାଧାରଣ ଲୋକେ ବାଲି, ଚିପ୍ସ, ମେଣ୍ଟାଲ ନେଉଥିବା ସମୟରେ ପୋଲିସ, ତହସିଲଦାର ଗାଡ଼ି ଗୁଡ଼ିକୁ ଜବତ କରିବା ସହିତ ମୋଟା ଅଙ୍କରେ ଫାଇନ କାଟୁଥିବାବେଳେ ସରକାରୀ ଅଧିକାରୀମାନେ ନିଜେ ରକ୍ଷକ ହୋଇ ଭକ୍ଷକ ସାଜୁଥିବା କହିବା ସହିତ ଏହାର ତଦନ୍ତ କରି ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଖଇରା ଥାନା ଆଇଆଇସି ଶ୍ରୀବଲ୍ଳଭ ସାହୁଙ୍କୁ ଏକ ଲିଖିତ ଅଭିଯୋଗ କରିବା ସହିତ ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କୁ ଏହି ଘଟଣା ବିଷୟରେ ଅବଗତ କରିଥିଲେ । ଏନେଇ ଖଇରା ବିଡ଼ିଓ ପର୍ଶୁରାମ ପଣ୍ଡାଙ୍କ ପ୍ରତିକ୍ରିୟା ନେବାରେ ସେ ଏ ବିଷୟରେ କିଛି ଜାଣିନଥିବା କହିଥିବାବେଳେ ବିଭାଗୀୟ ଯନ୍ତ୍ରୀ ସ୍ମିତାଶ୍ରୀ ଦାସ ସମସ୍ଥ ଉପରିସ୍ଥ ଅଧିକାରୀଙ୍କ ଗୋଚରରେ ଏହି କାର୍ଯ୍ୟ ହେଉଥିବା କହିଛନ୍ତି।
ଏଣୁ ଯେ ପର୍ଯ୍ୟନ୍ତ ତଦନ୍ତ ହୋଇ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ଉପରେ ଦଣ୍ଡ ବିଧାନ ହୋଇ ନାହିଁ, ସେ ପର୍ଯ୍ୟନ୍ତ ନୀତି ଓ ନୈତିକତା କାରଣରୁ କୋଣସି ଗାଡିକୁ ଅଟକାଇ ମୋଟା ଆକାରରେ ଅର୍ଥ (କେ-ଫୋର୍ମ,ଜିଏସ୍ଟି, ଓଭର ଲୋଡିଙ୍ଗ) ଆଳରେ ସାଧାରଣ ଜନତାଙ୍କ ଠାରୁ ଆଦାୟ ବା ଲୂଟ ନ କରାଯାଉ।