ଅଧିକ ପଢନ୍ତୁ ଓଡ଼ିଶା ଖବର
ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡଯନ୍ତ୍ର ଅଭିଯୋଗ ନେଇ ଗତ ୧୬ ତାରିଖରେ ପୋଲସରା ଥାନାରେ ଏତଲା ଦେଇଛନ୍ତି ଶ୍ରୀକାନ୍ତ । ସଂଯୁକ୍ତା ମହଲ ନାମକ ମହିଳା ଓ ବିକାଶ ବେହେରା ନାମକ ବ୍ୟକ୍ତିଙ୍କ ନାଁରେ ଏତଲା ଦେଇଛନ୍ତି ବିଧାୟକ । ମୋବାଇଲ ଫୋନକୁ ଆସିଥିବା ମେସେଜ୍ ଆଧାରରେ ସେ ଅଭିଯୋଗ ଆଣିଛନ୍ତି । ଶ୍ରୀକାନ୍ତ ଲେଖିଛନ୍ତି ଯେ, ଏହି ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଚାଟିଂରେ ବିକାଶ ବେହେରା ତାଙ୍କୁ ଜୀବନରୁ ହତ୍ୟା କରିବା ପାଇଁ ସଂଯୁକ୍ତା ମହଲଙ୍କୁ ସାହାଯ୍ୟ ମାଗୁଛନ୍ତି । ମୋତେ ଓ ମୋ ଝିଅକୁ ମାରିଦେବାକୁ ଚାହୁଁଛନ୍ତି । ଶ୍ରୀକାନ୍ତ ସାହୁଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ଏନେଇ ବିଧାୟକ ଶ୍ରୀକାନ୍ତ ସାହୁ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଅଭିଯୋଗକୁ ନେଇ ସଂଯୁକ୍ତା କହିଛନ୍ତି ବିକାଶ ବେହେରା କିଏ ମୁଁ ଜାଣିନି ।
ବିଜେଡି ନେତ୍ରୀ ସଂଯୁକ୍ତା ମହଲ କିଛି ମାସ ପୂର୍ବେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ଭୁବନେଶ୍ବର ମହିଳା ଥାନାରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ । ହେଲେ ମହିଳା ଥାନା ଶ୍ରୀକାନ୍ତଙ୍କ ବିରୋଧରେ କୌଣସି ଆକ୍ସନ ନେଲା ନାହିଁ । ପରେ ସଂଯୁକ୍ତା ନବୀନ ନିବାସଠୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ପହଞ୍ଚିଥିଲେ । ସେଠୁ ବି ନିରାଶ ହେବା ପରେ ସେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ତ ହୋଇଛନ୍ତି । ହାଇକୋର୍ଟ ମଧ୍ୟ ଏହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ।
ପ୍ରଶ୍ନ କାହା ସୁରକ୍ଷାରେ ଯୌନ ବ୍ୟଭିଚାର ଅଭିଯୁକ୍ତ ବିଜେଡି ବିଧାୟକ ! ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ କାହିଁକି ହେଉନାହିଁ ଆକସନ୍ ? କାହିଁକି ସଂଯୁକ୍ତାଙ୍କ ଏତଲା ଆଧାରରେ ପୋଲିସ କରୁନାହିଁ କାର୍ଯ୍ୟାନୁଷ୍ଠାନ ? ନିଜ ଦଳର ମହିଳା ନେତ୍ରୀଙ୍କୁ ନ୍ୟାୟ ଦେଇପାରୁନଥିବା ବିଜେଡି ସରକାର ସାଧାରଣ ମହିଳାଙ୍କୁ କେମିତି ଦେବ ସୁରକ୍ଷା ? ମା'କୁ ସମ୍ନାନର ନାରା ଦେଉଥିବା ଦଳରେ ଇଏ କି ମହିଳା ସମ୍ମାନ ? ମହିଳାଙ୍କୁ ମିଛ କେସରେ ଫସାଇବାକୁ ଷଡଯନ୍ତ୍ର ରଚିଥିବା ବିଧାୟଙ୍କ କାରନାମାକୁ ଦେଖୁଛନ୍ତି କି ମୁଖିଆ ?