ସେମାନଙ୍କୁ ନ୍ୟାୟ ଓ ପାରିଶ୍ରମକ ବୃଦ୍ଧି ପାଇଁ ୮ହଜାର ଟଙ୍କାରୁ ଅଧିକ ପ୍ରୋତ୍ସାହନ ରାଶି, ପଂଚାୟତରାଜ ବିଭାଗରେ ସ୍ଥାୟୀ ନିଯୁକ୍ତି ଇତ୍ୟାଦି ୫ଦଫା ଦାବି କରିଛି ଗାଁ ସାଥୀ । ଗାଁ ସାଥୀଙ୍କ ସହ ଆଜି ବିଜେପି ବିଧାୟକମାନେ ଭେଟି ଆଲୋଚନା କରିଥିଲେ । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗାଁ ସାଥୀ ଓ ପ୍ରତ୍ୟେକ ମେଟ୍ ମାନଙ୍କୁ ୧୦୦ଦିନରୁ ୧୦ଦିନ ନିଶ୍ଚିତ କାମ ଯୋଗାଇବା ପାଇଁ ସରକାରୀ ନିଷ୍ପତି ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଧାନସଭାର ଚଳିତ ମୌସୁମୀ ଅଧିବେଶନରେ ରାଜ୍ୟ ପଂଚାୟତିରାଜ ବିଭାଗରେ କାର୍ଯ୍ୟରତ ଗାଁ ସାଥୀଙ୍କ ହକ୍ ପାଇଁ ବିଧାନସଭା ଭିତରେ ଓ ବାହାରେ ସ୍ୱର ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଜେପି ବିଧାୟକମାନେ ।
ରାଜ୍ୟ ସରକାର ତାଙ୍କର ସଚିବଙ୍କୁ ହେଲିକ୍ୟାପ୍ଟରରେ ପଠାଇ ଲୋକଙ୍କ ଅଭିଯୋଗ ସଂଗ୍ରହ କରୁଥିବାବେଳେ ବିଧାନସଭା ସାମ୍ନାରେ ଶୀତ, କାକରରେ ପଡି ରହିଥିବା ଗାଁ ସାଥୀ ମାନଙ୍କ ଯର୍ଥାର୍ଥ ଦାବିକୁ ଶୁଣିବା ପାଇଁ କୌଣସି ଅଧିକାରୀ ନଆସିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବିଜେପି ବିଧାୟକମାନେ ମତପ୍ରକାଶ କରିଛନ୍ତି ।ଏହି ପ୍ରତିନିଧି ଦଳରେ ବିଧାୟକ ପ୍ରକାଶ ସୋରେନ, କୁସୁମ ଟେଟେ, ବୁଧାନ ମୁର୍ମୁ, ସନାତନ ବିଜୁଳି, ନିତ୍ୟାନନ୍ଦ ଗଣ୍ଡ, ନବ ଚରଣ ମାଝୀ, ସୂର୍ଯ୍ୟବଂଶୀ ସୁରଜ, ଭାସ୍କର ମଢ଼େଇ, ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ସାମାଜିକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମୀରଞ୍ଜନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: