ଶ୍ରୀଯୁକ୍ତ ମହାଲିଙ୍ଗ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ ହେବା ଦିନରୁ ଓଡ଼ିଶାର ପାଖାପାଖି ୧.୭ କୋଟି ଚାଷୀ ୬୦ ଲକ୍ଷ ହେକ୍ଟର ଜମି ପାଇଁ ମୋଟ ୩୫ ହଜାର ୫୨୬.୬୦ କୋଟି ଟଙ୍କାର ବୀମା କରିଛନ୍ତି । ଓଡ଼ିଶାରେ ଚାଷୀମାନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୭୦୨.୪୩ କୋଟି ଟଙ୍କା ପ୍ରମିୟମ ପୈଠ କରାଯାଇଛି । ପରବର୍ତୀ ସମୟରେ ୨୭.୮୮ ଲକ୍ଷ ଚାଷୀଙ୍କ ପକ୍ଷରୁ ୪୬୦୦.୭୫ କୋଟି ଟଙ୍କା ଦେବା ପାଇଁ ଆବେଦନ କରାଯାଇଛି । ଯାହା ପ୍ରିମିୟମ ଠାରୁ ୬ ଗୁଣା ଅଧିକ । ଏହି ଯୋଜନା ଅଧୀନରେ ବୀମା ପାଇଁ ଆବେଦନ କରିଥିବା ଏକ ଚତୁର୍ଥାଂଶ ଚାଷୀଙ୍କୁ ପୈଠ କରାଯାଇଛି । ଅର୍ଥାତ୍ ୪୬୦୦.୭୫ କୋଟି ଟଙ୍କା ମୂଲ୍ୟର ଆବେଦନରୁ ଚାଷୀଙ୍କୁ ୪୫୬୦.୭୪ କୋଟି ଟଙ୍କା ଦାବୀର ସମାଧାନ କରାଯାଇସାରିଛି । ଯାହା ୯୭.୭୧ ପ୍ରତିଶତ । ଏଥିରୁ ସ୍ପଷ୍ଟ ଯେ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆରୋପ ଲଗାଇବାରେ କିଛି ସତ୍ୟତା ନାହିଁ । ଓଡ଼ିଶା ଚାଷୀଙ୍କ ଜଳସେଚନ ସୁବିଧା ଦେବାର ମୁଖ୍ୟ ପ୍ରସଙ୍ଗରୁ ଓହରିବାକୁ ଏବଂ ମୁହଁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି ।
ଦେଶରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କୃଷି, ସହକାରିତା ଏବଂ କୃଷକ କଲ୍ୟାଣ ବିଭାଗ ଦ୍ୱାରା ୫ଟି ରାଷ୍ଟ୍ରାୟତ ସାଧାରଣ ବୀମା କମ୍ପାନୀ ସମେତ ୧୮ଟି ସାଧାରଣ ବୀମା କମ୍ପାନକୁ ସାମିଲ କରାଯାଇଛି । ରାଜ୍ୟ ଏବଂ କେନ୍ଦ୍ର ଶାସିତ ସରକାର ମାନେ ପ୍ରତିବର୍ଷ ବିଡ଼ିଂ ମାଧ୍ୟମରେ ଏହି ୧୮ଟି କମ୍ପାନୀ ମଧ୍ୟରୁ ବୀମା କମ୍ପାନୀ ଚୟନ କରନ୍ତି । ୨୦୨୦ ଖରିଫ ଋତୁ ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ଥିବା ସରକାରଙ୍କୁ ଦୀର୍ଘମିଆଦି ସମ୍ପର୍କ ତଥା ଭିତିଭୂମିର ବିକାଶ ପାଇଁ ଏକ ବୀମା କମ୍ପାନୀକୁ ୩ ବର୍ଷ ପାଇଁ ଚୟନ କରିବା ବାଧ୍ୟତାମୂଳକ । ଏହି ଯୋଜନାରେ ରାଜ୍ୟ ସରକାରମାନେ ଫସଲକୁ ଚିହ୍ନଟ କରିବା ପାଇଁ ହିଁ ବିଜ୍ଞପ୍ତି ଜାରୀ କରନ୍ତି । ୨୦୧୯-୨୦ ଆର୍ôଥକ ବର୍ଷରେ ରାଜ୍ୟ ସରକାର ଏଚଡ଼ିଏଫସି ଇରଗୋ, ଓରିଏନଟାଲ ଇନସ୍ୟୁରାନ୍ସ, ରିଲାଇନ୍ସ ଜେନେରାଲ ଇନସ୍ୟୁରାନ୍ସ ଏବଂ ରୋୟାଲ ସୁନ୍ଦରମ ଭଳି ଏଗ୍ରିକଲଚ୍ୟୁରାଲ ଇନସ୍ୟୁରାନ୍ସ କର୍ପୋରେସନକୁ ଚୟନ କରିଥିଲେ । ରାଜ୍ୟ ସରକାର ମାନେ ହିଁ ବୀମା କମ୍ପାନୀ ଚୟନ କରନ୍ତି । ତେବେ ସସ୍ମିତ ପାତ୍ର ରାଜ୍ୟ ସରକାରଙ୍କୁ ପଚାରିବା କଥା ଯେ ଆପଣ କେଉଁ କେଉଁ କମ୍ପାନୀ ଚୟନ କରିଛନ୍ତି ସେମାନେ ଚାଷୀଙ୍କୁ ଟଙ୍କା ଦେଇପାରୁନାହାନ୍ତି ।
ମାତ୍ର ଏବେ ବିଜେଡି ସାଂସଦ ଶ୍ରୀ ସସ୍ମିତ ପାତ୍ରଙ୍କ ବିବୃତିର ମିଥ୍ୟା ଏବଂ ରାଜନୈତିକ ଏଜେଣ୍ଡା ଉପରେ ଦୃଷ୍ଟି ଦେଇଥିବା ଉଫରୋକ୍ତ ତଥ୍ୟରୁ ଦିବାଲୋକରେ ସ୍ପଷ୍ଟ ହେଉଛି । ସସ୍ମିତ ପାତ୍ର ଅନ୍ଧ ପୁଟୁଳି ବାନ୍ଧିଛନ୍ତି । ସସ୍ମିତ ପାତ୍ର କିଛି ତଥ୍ୟ ନଜାଣି ନିଜ ଦଳ ଓ ନିଜ ସରକାରଙ୍କ ଅସ୍ତିତ୍ୱକୁ ବଂଚାଇ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ଚାଷୀଙ୍କ ପ୍ରତି ସମ୍ବେଦନହୀନତା କାରଣରୁ ଆସନ୍ନ ମରୁଡି ଅଂଚଳ ସମସ୍ୟାର ସମାଧାନ ନକରି ଖାଲି ଦିନରାତି କେନ୍ଦ୍ର ବିରୋଧରେ ଗପିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ମହାଲିଙ୍ଗ୍ ପ୍ରଶ୍ନ କରିଛନ୍ତି ।
ବାସ୍ତବରେ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ଦିଗରେ ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏକ ଐତିହାସିକ ଯୋଜନା । ବିଶେଷ ଭାବରେ ବନ୍ୟା, ମରୁଡ଼ି, ବାତ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଚାଷୀଙ୍କୁ ଏହି ଯୋଜନାରେ ଆର୍ôଥକ ଋଣ ବା ସହାୟତା ମିଳିଥାଏ । ବିଗତ ୫ ବର୍ଷ ପୂର୍ବରୁ ୧୩ ଜାନୁଆରୀ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷର ଚାଷୀ ମାନଙ୍କ ସ୍ୱାର୍ଥ ଓ କଲ୍ୟାଣକୁ ଦୃଷ୍ଟିରେ ରଖି ସେମାନଙ୍କୁ ଫସଲ ନଷ୍ଟ ଚିନ୍ତାରୁ ମୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ଐତିହାସିକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଚାଷୀ ମାନେ ଖରିଫ ଋତୁରେ ୨ ପ୍ରତିଶତ, ରବି ଋତୁ ପାଇଁ ୧.୫ ପ୍ରତିଶତ ଏବଂ ୫ ପ୍ରତିଶତ ଅର୍ଥ ଜାତୀୟ ଫସଲ କିମ୍ବା ଉଦ୍ୟାନ ଫସଲ ପାଇଁ ପ୍ରିମିୟମ୍ ଭରିବାର ନିୟମ ଥିଲାବେଳେ ଅବଶିଷ୍ଟ ପ୍ରିମିୟମ ସରକାର ଭରଣ କରୁଛନ୍ତି । ଏହି ଯୋଜନା ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଂଚଳର ଚାଷୀ ତଥା ଋଣୀ ଚାଷୀ, ଅଣଋଣୀ ଚାଷୀ, ଭାଗ ଚାଷୀ, ଅନ୍ୟ ଜମିରେ କାମ କରୁଥିବା ଚାଷୀ ସ୍ୱେଚ୍ଛାକୃତ ଭାବରେ ନେବା ପାଇଁ ଏହି ଯୋଜନାର ସୁବିଧା ନେବାର ନିୟମ ରହିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଦେଶରେ ହେକ୍ଟର ପିଛା ଜମି ବୀମା ହାରାହାରି ମୋଟ ୧୫ ହଜାର ୧୦୦ରୁ ଏବେ ହାରାହାରି ମୋଟ ୪୦ ହଜାର ୭୦୦ ଟଙ୍କା ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜିକୃତ ମୋଟ ଚାଷୀ ମାନଙ୍କ ମଧ୍ୟରୁ ୮୪ ପ୍ରତିଶତ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀ ସାମିଲ ଅଛନ୍ତି ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି ।
ସାମ୍ପ୍ରତିକ ସମୟରେ ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କ ସାମିଲ ହେବାରେ ସର୍ବବୃହତ ଫସଲ ବୀମା ଯୋଜନା ଏବଂ ପ୍ରିମିୟମରେ ତୃତୀୟ ବୃହତ ଯୋଜନା । ୨୦୧୬-୧୭ ରେ ଏହି ଯୋଜନା ଆରମ୍ଭ ହେବା ପର ଠାରୁ ଦେଶର ୨୩ କୋଟିରୁ ଅଧିକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପ୍ରାୟ ୨୧ କୋଟି ହେକ୍ଟର ଜମି ପାଇଁ ମୋଟ ୮.୫୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ବୀମା କରିଛନ୍ତି । ଚାଷୀମାନେ ଏହି ଯୋଜନାରେ ବିଭିନ୍ନ ବୀମା କମ୍ପାନୀଙ୍କୁ ୧୭ ହଜାର ୫୭୭ କୋଟି ଟଙ୍କା ପ୍ରିମିୟମ ଦେଇଥିଲେ । ତେବେ ପରେ ଫସଲ ନଷ୍ଟ ପାଇଁ ବୀମା ଆକାରରେ ଆବେଦନ କରାଯାଇଥିବା ୭.୮ କୋଟି ଚାଷୀ ୯୨ ହଜାର ୮୬୨ କୋଟି ଟଙ୍କା ପ୍ରଦାନ କରିବାକୁ କ୍ଲେମ୍ କରିଛନ୍ତି । ଯାହା ଚାଷୀଙ୍କ ଦ୍ୱାରା ପୈଠ ହୋଇଥିବା ପ୍ରିମିୟମର ୫ ଗୁଣା ଅଧିକ । ଫସଲ ନଷ୍ଟ ପାଇଁ ଦାବୀ କରାଯାଇଥିବା ୯୫ ହଜାର ୪୩ କୋଟି ଟଙ୍କାରୁ ୯୨ ହଜାର ୮୬୨ ଟଙ୍କା ପ୍ରଦାନ କରାଯାଇସାରିଛି, ଯାହା ୯୭.୭୧ ପ୍ରତିଶତ ବୋଲି ଶ୍ରୀ ମହାଲିଙ୍ଗ୍ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାଲିଙ୍ଗ୍ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ହିତେଶ ମହାପାତ୍ର, ଅଶୋକ ମହାନ୍ତି ଏବଂ ସୁନିଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।