ଚଂଚକତା ଓ ଷଡଯନ୍ତ୍ର ରଚି ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ବର୍ତମାନ ପଂଚାୟତ ନିର୍ବାଚନରେ ଜୟଲାଭ କରିଥିବା ବିଜେପି ସମର୍ଥିତ ସରପଂଚ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଭୟଭୀତ କରି ପ୍ରଭାବିତ କରୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ । ମିଥ୍ୟା ଅରୋପ ଲଗାଇ ବିଜେପି ସମର୍ଥିତ ସଦସ୍ୟଙ୍କ ଘରର ତାଲା ଭାଙ୍ଗି ଜୋରଜବରଦସ୍ତ ପଶି ଆତଙ୍କରାଜ ସୃଷ୍ଟି କରୁଛି ପୋଲିସ । ଏନେଇ ପୁରୀ ଜିଲ୍ଲା ପୁଲିସ ଏସପିଙ୍କୁ ପଚାରିବାରୁ ଅପହରଣର ସଫେଇ ଦେଉଛନ୍ତି, ଯାହାକି ସଂପୂର୍ଣ୍ଣ ମିଥ୍ୟା । ସ୍ଥାନୀୟ ପୋଲିସ ସବୁକିଛି ଜାଣି ନଜାଣିଲା ଭଳି ଶାସକ ବିଜେଡିକୁ ଜିତାଇବା ପାଇଁ ଏଭଳି ହୀନକାର୍ଯ୍ୟର ଅଂଶବିଶେଷ ସାଜିଛି । ଗଣତନ୍ତ୍ର ପଦ୍ଧତିରେ ଜୟଯୁକ୍ତ କରିଥିବା ଲୋକପ୍ରତିନିଧିମାନଙ୍କୁ ଧମକ, ଚମକ ଓ ଆକ୍ରମଣ କରି ଭୟଭୀତ ଏବଂ ପ୍ରଭାବିତ କରିଲେ ପଂଚାୟତ ସମିତି ନିର୍ବାଚନ ନିରପେକ୍ଷ କିପରି ହୋଇପାରିବ? ବିଜେଡିର ଏଭଳି ଗୁଣ୍ଡାଗିରି କରି ଭୋଟ ହାତେଇବା ଆଇନ ସଂଗତ ନୁହେଁ ବୋଲି ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଏହି ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିବା ସହିତ ଆଇନ ଭଙ୍ଗକାରୀ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜଜଣାଇଛନ୍ତି । ଏହି ପ୍ରତିନିଧି ଦଳରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ପୂର୍ବତନ ବିଧାୟକ ରବି ମଲ୍ଲିକ, ଲିଗାଲ ସେଲର ରବିଶଂକର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।