ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ପ୍ରମୁଖ ଭୂମିକା ରହିଛି । ଓବିସି 54 ପ୍ରତିଶତ ଏବଂ ଏସଟି 24 ପ୍ରତିଶତକୁ ମିଶାଇ 78 ପ୍ରତିଶତ ଅଛନ୍ତି । ସେମାନେ ସଂରକ୍ଷଣରୁ ବଞ୍ଚିତ ହୋଇଥିବାରୁ ଅସନ୍ତୁଷ୍ଟ ଅଛନ୍ତି । ଆଉ ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ । ତେଣୁ ପ୍ରଥମେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦିଆଯାଉ ଆଉ ତାପରେ ନିର୍ବାଚନ କରାଯାଉ ବୋଲି ବିଜେପି ଦାବି କରିଛି । ଏହାସହ କରୋନା ସଂକ୍ରମଣ ବଢୁଥିବାରୁ ବିଜେପି ପଞ୍ଚାୟତ ନିର୍ବାଚନ ଘୁଞ୍ଚାଇ ଦେବା ପାଇଁ ମତ ରଖିଥିଲା ।
ସେପଟେ ରାଜ୍ୟ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ପ୍ୟାକେଜ ଓ ଅର୍ଥ ରାଶି ପ୍ରୋତ୍ସାହନ ଦେଉଛନ୍ତି । କାରଣ ରାଜ୍ୟ ସରକାର ଜାଣିଛନ୍ତି ଏହି ନିର୍ବାଚନ ବିଜେଡ଼ି ସପକ୍ଷରେ ଯିବ ନାହିଁ । ସେଥିପାଇଁ ଗତ ମାସେ ହେଲା ବିଭିନ୍ନ ଘୋଷଣା କରୁଛନ୍ତି ରାଜ୍ୟ ସରକାର । ହେଲେ ଲୋକମାନେ ଜାଣିଗଲେଣି ଯେ ଦୁର୍ନୀତି ବଢ଼ିଛି ଓ ବିକାଶ ଧାରା ଠପ୍ ହୋଇଛି ।
ତେଣୁ ଏଥର ପଞ୍ଚାୟତ ନିର୍ବାଚନରେ ଲୋକ ମାନେ ତାଙ୍କର ମତ ପରିବର୍ତ୍ତନ କରିବେ । ଗତ ପଞ୍ଚାୟତ ନିର୍ବାଚନରେ ଦକ୍ଷିଣ ଓଡିଶା, ପଶ୍ଚିମ ଓଡିଶା ଏବଂ ଉତ୍ତର ଓଡିଶାରେ ବିଜେପି ଭଲ ଫଳ କରିଥିଲା । ଆଉ ଏଥର ସମଗ୍ର ଓଡିଶାରେ ବ୍ୟାପକ ପରିବର୍ତ୍ତନ ହେବ ଏବଂ ଲୋକ ମାନେ ବିଜେଡ଼ିକୁ ପ୍ରତ୍ୟାଖାନ କରିବେ ବୋଲି କହିଛି ବିଜେପି ।
ପ୍ରଚାର ପାଇଁ ନିର୍ବାଚନ କମିଶନ ଜାରି କରିଥିବା କୋଭିଡ କଟକଣା ଭିତରେ ହିଁ ଡୋର ଟୁ ଡୋର କ୍ୟାମ୍ପେନିଂ କରାଯିବ । କୋଭିଡ୍ ଗାଇଡ଼ଲାଇନ ଅନୁସାରେ ବିଜେପି ନିର୍ବାଚନୀ ମଇଦାନକୁ ଓହ୍ଲାଇବ ଏବଂ ପୂର୍ବ ନିର୍ବାଚନ ଅପେକ୍ଷା ଏଥର ବିଜେପି ଅଧିକ ସିଟ ଦଖଲ କରିବ ।