ଚାନ୍ଦବାଲି ଥାନା ଭୁଇଁବୃତି ପଞ୍ଚାୟତର ନୁଆଗାଁରେ ସୋମବାର ରାତିରେ ନିର୍ବାଚନୀ ହିଂସା ପରେ ଦେଖା ଦେଇଥିଲା ଗୋଷ୍ଠୀ ସଂଘର୍ଷ। ଏଥିରେ ଉଭୟ ପକ୍ଷରୁ ଦୁଇ ମହିଳା ଆହତ ହୋଇଥିଲେ। ପ୍ରତିବାଦରେ ଉଭୟ ପକ୍ଷରୁ ମହିଳାମାନେ ଥାନା ଘେରାଉ କରିଥିଲେ।
ସେହିପରି ମାଲକାନଗିରି କାଲିମେଳା ଜିଲ୍ଲା ପରିଷଦ ଜୋନ 2ର ବିଜେପି ପ୍ରାର୍ଥୀ ରିନା କବାସି ନିଖୋଜ ହୋଇଯାଇଥିବା ଅଭିଯୋଗ କରିଛି ବିଜେପି । ନିଖୋଜ ପଛରେ ଶାସକ ଦଳର ହାତ ଥିବା ଅଭିଯୋଗ କରି କାଲିମେଳା ଥାନାରେ ଅଭିଯୋଗ କରିଛି ଦଳ।
ଏହା ପୂର୍ବରୁ ଗଞ୍ଜାମ ଚିକିଟି ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିଲା । ଏହାସହ ଝାରସୁଗୁଡା ଲାଇକେରା ଜୋନ୍ ୧ର ବିଜେପି ପ୍ରାଥୀ ଓ ମଣ୍ଡଳ ସଭାପତିଙ୍କୁ ମଧ୍ୟ ବିଜେଡି ପକ୍ଷରୁ ଆକ୍ରମଣ ଅଭିଯୋଗ ହୋଇଛି। ସବୁଠି ଶାସକ ଦଳର ଗୁଣ୍ଡା ବିରୋଧୀଙ୍କ ଉପରେ ଆକ୍ରମଣ କରୁଥିବା ବେଳେ ପୋଲିସ ଚୁପ୍ ବସିବା ଘଟଣାରେ ରାଜ୍ୟ ନିର୍ବାଚନ କମିଶନଙ୍କର ଦୃଷ୍ଟି ଆକର୍ଷଣ କରିଛି ବିଜେପି ।
କେବଳ ହିଂସା ନୁହେଁ, ଶାସକ ଦଳ ନାଁରେ ରହିଛି ଆହୁରି ସାଂଘାତିକ ଅଭିଯୋଗ । ବିରୋଧୀ ଦଳର ବିଭିନ୍ନ ପ୍ରାର୍ଥୀଙ୍କୁ ଧମକାଇ ଚମକାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ବାଧ୍ୟ କରୁଛି ସାଶକ ଦଳ । ଯାଜପୁର, ବରଗଡ଼, ଝାରସୁଗୁଡା,ମାଲକାନଗିରି ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରୁ ଆସିଛି ଅଭିଯୋଗ। ଯାଜପୁରରେ ପୋଲିସ ଏବଂ ପ୍ରଶାସନ, ବରଗଡ଼ ଭଟଲିରେ ମନ୍ତ୍ରୀ ସୁଶାନ୍ତ ସିଂ ନିଜେ ଚାପ ପକାଇ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛି ବିଜେପି । କଂଗ୍ରେସ ବି ନିର୍ବାଚନୀ ହିଂସା ପାଇଁ ଶାସକ ଦଳକୁ ଦାୟୀ କରିଛି। ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି।
ପଞ୍ଚାୟତ ନିର୍ବାଚନ ପାଇଁ ଯେଉଁଠି କେହି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି କିମ୍ବା ଯେଉଁ ଜାଗାରେ ପ୍ରାର୍ଥୀପତ୍ର ନାକଚ ହୋଇ ଯାଇଛି, ସେଠାରେ ଆଉଥରେ ନାମାଙ୍କନ ଦାଖଲ ପାଇଁ ସୁଯୋଗ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ସେଥିପାଇଁ 27 ତାରିଖରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । 29 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। ଯାଞ୍ଚ ପ୍ରକ୍ରିୟା ପରେ ଫେବୃୟାରୀ 2 ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହା ମଧ୍ୟରେ 4 ହଜାରରୁ ଅଧିକ ୱାର୍ଡ ମେମ୍ବର, 6 ସମିତିସଭ୍ୟ, 7 ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ।
ପଞ୍ଚାୟତ ଘମାସାନ ଭିତରେ ପଶିଛି ହିଂସା। ନାମାଙ୍କନ ସରୁ ସରୁ ରକ୍ତମୁଖା ଶାସକ ଦଳ । ୨୦୧୭ ପଞ୍ଚାୟତ ନିର୍ବାଚନ ହିଂସାର ପୁନରାବୃତ୍ତିର ଆରମ୍ଭ କି ?