କିନ୍ତୁ ଏଇ ଘଟଣା ଭିତରେ, ଆପଣଙ୍କ ସ୍କ୍ରିନରେ ଥିବା ଏହି ମହିଳାଙ୍କ ଦୁଷ୍ଟ କର୍ମର ପରିଚୟ ସମସ୍ତଙ୍କୁ ଚକିତ କରିଛି। ମହିଳା ଭାବର ଅସ୍ମିତାକୁ ଲଜ୍ଜିତ କରିଛି। ସ୍ବାମୀ ବଞ୍ଚିଛନ୍ତି। ହେଲେ ଏ ମହିଳା ନିଜ ସ୍ବାମୀଙ୍କୁ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ମୃତକ ଦର୍ଶାଇ ଟଙ୍କା ନେବାକୁ ଆସି ଧରା ପଡିଛନ୍ତି।
ଚାଲନ୍ତୁ ଫ୍ଲାସ ବ୍ୟାକକୁ ଯିବା।
୩ଦିନ ହେଇଗଲା ବାଲେଶ୍ବର ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାକୁ। ଏଯାଏ କନ୍ଦାଉଛି କରମଣ୍ଡଳ। ଲୌହ ଦାନବ ନେଇଛି ୨୭୭ ଜୀବନ। ସେଇ ଛାତିଥରା ଦୃଶ୍ୟକୁ ଶବ୍ଦରେ ବର୍ଣ୍ଣନା କରିହେବନାହିଁ। ୩ଦିନ ହୋଇଗଲାଣି ଏଯାଏ ମୃତଦେହ ଚିହ୍ନଟ ସରୁନି। ମୃତଦେହ ଭିତରୁ କିଏ ନିଜ ସ୍ବାମୀକୁ ଖୋଜୁଛି। ତ କେଉଁଠି ବୁଢ଼ା ବାପା ଶବ ଭିତରୁ ନିଜ ପୁଅକୁ ଖୋଜୁଛି। କିନ୍ତୁ ତାରି ଭିତରେ ଏମିତି ମଣିଷ ଅଛନ୍ତି ଯିଏ ସହାୟତା ରାଶି ଲୁଟିବାକୁ ଜୀବିତ ଲୋକଙ୍କୁ ମୃତ କହି ମିଛ ଲୁହର ନାଟକ କରୁଛନ୍ତି। ନିଜ ଦୁଷ୍ଟ ପ୍ରବୃତ୍ତିକୁ ଚରିତାର୍ଥ କରିବାରେ ଲାଗିଛନ୍ତି।
ଏ ମହିଳାଙ୍କ ଘର କଟକ ଜିଲ୍ଲା ବଡ଼ମ୍ବା ଥାନା ଅଧୀନ ମାଇଆବନ୍ଧ ଅଞ୍ଚଳର। ନାଁ ଗୀତାଞ୍ଜଳି ଦତ୍ତ। ୧୦ଲକ୍ଷର ସରକାରୀ ସହାୟତା ରାଶି ଲୁଟିବାକୁ ମିଛ ବାହାନା କରୁଥିଲେ ସିଏ। ଜୀବିତ ସ୍ବାମୀ ବିଜୟ ଦତ୍ତଙ୍କୁ ମୃତ ଦର୍ଶାଇ ଟଙ୍କା ନେବାକୁ ଆସିଥିଲେ। ପୁଲିସ ଆଗରେ କାନ୍ଦିଲେ। ବିଶ୍ବାସ ଜନ୍ମାଇବାକୁ ସାଙ୍ଗରେ ବାଲେଶ୍ବର ନୋସି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଆଣି ଫର୍ଜି ଆଧାର କାର୍ଡ ବି ଦେଖାଇଲେ।
ହେଲେ ପୁଲିସ, ସନ୍ଦେହ କଲା। ଗୀତାଞ୍ଜଳୀ ଦେଖାଇଥିବା ବ୍ୟକ୍ତିଙ୍କ ଆଧାର କାର୍ଡରେ ମୃତକଙ୍କ ବୟସ ୪୦ ବର୍ଷ ରହିଥିଲା। ହେଲେ ଗୀତାଞ୍ଜଳିଙ୍କୁ ବୟସ ୬୨। ପୁଲିସ ତର୍ଜମା କଲା ମିଛେଇ ମହିଳାଙ୍କ ମିଛ ଧରାପଡିଗଲା।
ଦର୍ଶକବନ୍ଧୁ ଏ ଖବର ପ୍ରସାରଣ କରିବାର ଗୋଟିଏ ଉଦ୍ଦେଶ୍ୟ। ସବୁଠି ଲାଭ ଖୋଜି ମଣିଷ ମୁର୍ଖ ପାଲଟି ଯାଉଛି। ଭିତରୁ ଭିତରୁ ମରିଯାଉଛି ଇମୋସନ୍। ଆସନ୍ତୁ ମଣିଷ ହେବା, ମଣିଷ ପଣିଆର ଜୟଗାନ କରିବା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର