ଅଧିକ ପଢନ୍ତୁ ଓଡ଼ିଶା ଖବର
ଚୀନ, ଜାପାନ, ଇଟାଲି, ଜର୍ମାନୀ, ଦକ୍ଷିଣ କୋରିଆ ଏବଂ ଦୁବାଇରେ ମଧ୍ୟ ପୁଞ୍ଜିନିବେଶ ପାଇଁ ହୋଇଛି ରୋଡ ସୋ । ଦେଶର ଅନ୍ୟ ରାଜ୍ୟଗୁଡ଼ିକ ଠାରୁ ବହୁ ପଛରେ ଓଡିଶା । ୨୦୨୧ରେ ଓଡିଶାକୁ ମିଳିଛି ମାତ୍ର ୩୯ .୪୬ ମିଲିୟନର ବିଦେଶୀ ପୁଞ୍ଜିନିବେଶ । ଏହି ପରିପ୍ରେକ୍ଷୀରେ ଆନ୍ଧ୍ରପ୍ରଦେଶକୁ ୧୭୮.୦୯ ମିଲିୟନ, ବିହାରକୁ ୧୫୦.୩୧ ମିଲିୟନ ଓ ପଶ୍ଚିମବଙ୍ଗକୁ ୩୩୯.୩୬ ମିଲିୟନର ବିଦେଶି ପୁଞ୍ଜିନିବେଶ ମିଳିଛି । ଏଭଳି କି ୭ ରାଜ୍ୟରେ ବିଦେଶୀ ପୁଞ୍ଜିନିନିବେଶ ୧ ହଜାର ମିଲିୟନ ଠାରୁ ବି ଅଧିକ । ତେବେ ଏହି ବାସ୍ତବତା ଜାଣିଥିବା ବିରୋଧୀ ନେତା ବିଧାନସଭାର ପ୍ରଶ୍ନକାଳରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ଉଠାଇଛନ୍ତି ପ୍ରଶ୍ନ । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଠାରୁ ନେଇ ବାଙ୍ଗାଲୋର ଓ ଦୁବାଇ ଯାଉଛନ୍ତି ଏବେ ଜାପାନ ଯିବେ । ମୁଖ୍ୟମନ୍ତ୍ରୀ ଯେଉଁ ଯାଉଛନ୍ତି ସେଠୁ କେତେ ପୁଞ୍ଜି ଆସୁଛି ବୋଲି ସିଧାସିଧା କଟାକ୍ଷର ତୀର ଭେଦିଛନ୍ତି ସୁରେଶ ରାଉତରାୟ । ସେପଟେ ବିଦେଶୀ ପୁ଼ଞ୍ଜି ନିବେଶକୁ ନେଇ ବିଧାନସଭା ପ୍ରଶ୍ନକାଳରେ ଶାସକ- ବିରୋଧୀଙ୍କ ମଧ୍ୟରେ ହୋଇଛି ଘମାସାନ୍।
ଚଳିତ ବଜେଟରେ ଶିଳ୍ପ ବିଭାଗ ପାଇଁ ୭୧୦.୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କେବଳ ଭିତ୍ତିଭୂମି ଉନ୍ନତିକରଣ ପାଇଁ ୫୫୬ କୋଟି ଟଙ୍କା ଅଧିକ ବ୍ୟୟ ବରାଦ କରାଯାଇଛି । ବିଗତ ୨ଟି ମେକ ଇନ ଓଡିଶା ସଂସ୍କରଣରେ ଆସିଥିବା ମୋଟ ୨୮୬ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୧୬୪ଟି ପ୍ରସ୍ତାବକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ମିଳିଥିଲା ବେଳେ ସେଥିରୁ ମାତ୍ର ୧୬ଟି ବୃହତ ଶିଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ୨୦୨୨ ରେ ହୋଇଥିବା ମେକ ଇନ ଓଡିଶା ତୃତୀୟ ସଂସ୍କରଣରେ ୧୫୩ ଟି ଶିଳ୍ପସଂସ୍ଥାର ଆବେଦନକୁ ଅନୁମତି ଦିଆଯାଇଥିବା କହିଛି ବିଭାଗ । ବଡ ପ୍ରଶ୍ନ , କେବେ ଭିତ୍ତିଭୂମି ପ୍ରସ୍ତୁତ କରିବେ ସରକାର ଆଉ କେବେ ଆସିବ ବିଦେଶୀ ପୁଞ୍ଜିନିବେଶ ?