ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ପ୍ରମିଳାଙ୍କଠୁ କାରଣ ଦର୍ଶାଅ ଉତ୍ତର ପାଇବା ପରେ ଏସଇସିଙ୍କ ନିର୍ଦ୍ଦେଶ ।
୨ଦିନ ତଳେ କିଛି ଭୋଟରଙ୍କୁ ସିଧାସଳଖ ସେ କହିଥିଲେ ଭୋଟ ନଦେଲେ ଭତ୍ତା, ଆବାସ ପାଇଁ ମୋ ପାଖକୁ କେହି ଆସିବ ନାହିଁ । ତାଙ୍କ ଏହି କଥାରେ ସେଦିନ ତାଳି ମାଡ ହେଇଥିଲା ସତ ହେଲେ ଆଜି କମିଶନଙ୍କ ଛାଟ୍ ପଡିବା ପରେ ପ୍ରମିଳା ଏକଦମ୍ ଚୁପ୍ ।
ସୂଚନାଯୋଗ୍ୟ, ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ ବୋଲି ଭୋଟରଙ୍କୁ ସିଧାସଳଖ କହିଥିଲେ ବିଞ୍ଜାରପୁର ବିଧାୟିକା ପ୍ରମିଳା ମଲିକ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବାବେଳେ ଆଦର୍ଶ ଆଚରଣବିଧିର ଖୋଲାଖୋଲି ଉଲଂଘନ ବୋଲି ବିରୋଧୀ ଅଭିଯୋଗ କରିଥିଲେ ।
ବିଂଝାରପୁର ବ୍ଲକ ଅଳକୁଣ୍ଡ ପଞ୍ଚାୟତ ତଥା ଗ୍ରାମରେ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବାଧାୟିକା ପ୍ରମିଳା ମଲ୍ଲିକ ଯୋଗ ଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଭୋଟ ଦେବା ସହ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ । ଯଦି ଆଉ କାହାକୁ ଭୋଟ ଦିଅ ତେବେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ଯୋଜନାରେ ଘର ପାଇଁ ମୋତେ କହିବନି ବୋଲି ଉପସ୍ଥିତ ଲୋକଙ୍କୁ ରୋକଠୋକ କହିଥିଲେ ।