ଏ ଦୃଶ୍ୟ ଦେଖିଲେ ଛାତିରୁ କଲିଜା ବାହାରିଯିବ, ଆଖିରୁ ଲୁହ ଝରିବ । ଝିଅଟିଏ ନିଜ ଜନ୍ମକଲା ବାପା, ବୋଉଙ୍କୁ ଘରୁ ବାହାର କରି ଦେଉଛି। ପୁଲିସ ଲଗେଇ ସେମାନଙ୍କୁ ଘୋଷାଡି ନେଇ ଦାଣ୍ଡରେ ପକାଉଛି। ଆଉ ଏ ସବୁ ପାଇଁ ଆଇନ୍ ତାଙ୍କୁ ଅନୁମତି ବି ଦେଇଛି। ସମସ୍ତେ ଯେମିତି ଏଠି କଂକର୍ତ୍ତବ୍ୟମୁଢ।
ଦୃଶ୍ୟ କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଗଜାଆମ୍ବ ଗ୍ରାମର। ମୁଣ୍ଡରେ ହାତଦେଇ ବସିଥିବା ଏ ବୃଦ୍ଧ ହେଉଛନ୍ତି ଅଲେଖ ଚନ୍ଦ୍ର ସାହୁ। ନିଜ ଜନ୍ମକଲା ଝିଅ ଜୋସ୍ନାଙ୍କୁ ସେ କଟକରେ ବାହା ଦେଇଥିଲେ। ଝିଅ ଜୋସ୍ନା ବାହାହେବାର କିଛି ଦିନ ପରେ ନିଜର ବାପଘର ଗଜାଆମ୍ବ ଗ୍ରାମରେ ଜାଗା କିଣି ଘର ମଧ୍ୟ ତିଆରି କଲେ । ଯେଉଁ ଘରେ ଜୋସ୍ନାଙ୍କ ବାପା, ମା, ଭାଇ କିଛି ଦିନ ଆଶ୍ରୟ ନେଇଥିଲେ। ଭାଇମାନେ ଚାକିରିକୁ ଗଲେ। ବାପା-ମା ଦି ପ୍ରାଣୀ ଏଇ ଘରେ ରହିଗଲେ। ବାହାରେ ରହିବାକୁ ତାଙ୍କ ପାଇଁ ଠା ବାସ ନ ଥିଲା। ଶେଷରେ ସ୍ଥିତି ଏମିତି ହେଲା ଯେ, ସେମାନଙ୍କୁ ଘରୁ ବାହାର କରିବାକୁ ଝିଅ ଆଇନର ଆଶ୍ରୟ ନେଲା। ଆଉ ସବୁ ଦୃଶ୍ୟ ଆପଣଙ୍କ ସାମ୍ନାରେ।
ଘରର ସମସ୍ତ ଆସବାବ ପତ୍ର ଝିଅ ଜୋସ୍ନା ଏବଂ ଜ୍ଵାଇଁ ମହେଶ୍ଵର ଲୋକ ଲଗାଇ ରାସ୍ତା କଡ଼ରେ ରଖୁଛନ୍ତି। ବୃଦ୍ଧ ଅଲେଖ ଏବଂ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ବଳପୂର୍ବକ ଘରୁ ବାହାର କରି ଦିଆଯାଉଛି। କବାଟ ବନ୍ଦ କରୁଛି ପ୍ରଶାସନ। ମୁଦ ଦେଉଛି। ହେଲେ ଏ ଦୁଇଜଣ ଜାକ ଏବେ ନିରାଶ୍ରୟ ହୋଇପଡିଛନ୍ତି। କଣ କରିବେ, କୋଉଠି ରହିବେ କିଛି ନିଷ୍ପତ୍ତି ମଧ୍ୟ ନେଇ ପାରୁ ନାହାଁନ୍ତି । ଦୁଇ ପୁଅ ବାହାରେ । ଆସିଲେ ଯାହା ନିଷ୍ପତ୍ତି। ହେଲେ ବୁଢା ବୁଢି ହଳକ ଆଜି ରହିବେ କୋଉଠି ସେ କଥା କେହି ଭାବିଲେନି।
କଥାରେ ଅଛି ଏ ସଂସାରରେ ନିଜର ବୋଲି କିଛି ନାହିଁ। ଜାଗା-ବାଡି ଧନ ସମ୍ପତ୍ତି ସବୁ ଅଳିକ ମାତ୍ର। ଏମିତିକି ଜନ୍ମକଲା ପିଲାଏ ବି ଆପଣଙ୍କର ନୁହେଁ। ଯାହାର ପ୍ରମାଣ ଏଇଠି ଆପଣ ଦେଖିଲେ। ତା ଭିତରେ ବି ଏଠି ସମ୍ପର୍କ ଗଢେ ମଣିଷ। ବାପା-ମା-ଦାଦା-ଖୁଡି-ଭାଇ-ଭଉଣୀ ଏମିତି ଅନେକ କେତେ ନାଁରେ। ମଣିଷ ଆଜି ଚନ୍ଦ୍ରମାରେ ପହଞ୍ଚିଛି ସତ ହେଲେ ପୃଥିବୀରେ ସମ୍ପର୍କକୁ ଆପଣାର କରି କେମିତି ଚାଲିବା କଥା, ସେ କଥା ସେ ଆଜି ଯାଏଁ ବୁଝିପାରିଲା ନାହିଁ।