ବାଲେଶ୍ୱର: ପ୍ରଥମେ ସୋର ଆଉ ଏବେ ନୀଳଗିରି । ସମଗ୍ର ବାଲେଶ୍ବର ଜିଲ୍ଲା ଏବେ ପାଲଟିଛି ପଥର ମାଫିଆଙ୍କ ଅଭୟ ଗଡ଼। ନା କିଛି କଟକଣା ନା କିଛି ଲଗାମ। ଏଥିପାଇଁ ବେଧଡ଼କ ପଥର ଚୋରାଚାଲାଣରେ ମାତିଛନ୍ତି ମାଫିଆ। ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। କିନ୍ତୁ ମୁହଁ ବନ୍ଦ କରି ବସିଛନ୍ତି ରାଜ୍ୟ ସରକାରଙ୍କର ତମାମ ବିଭାଗ ଓ ବିଭାଗର ଅଧିକାରୀ । କିଛି ଦିନ ତଳେ ଅର୍ଗସ ନ୍ୟୁଜରେ ଆମେ ଦେଖାଇଥିଲୁ ବାଲେଶ୍ବର ସୋର ବାଗୁଡ଼ି ପାହାଡ଼ରୁ ହେଉଥିବା ବେଧଡ଼କ ପଥର ଲୁଟର ଖବର। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକର ଚିତ୍ର। ଏଠି ଦିନ ରାତି ବେଧଡ଼କ ଚାଲିଛି ପଥର ଚୋରା ଚାଲାଣ। ସମସ୍ତଙ୍କ ଆଖି ଆଗରେ ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ। ମାଫିଆ ମାଲାମାଲ ହେଉଛନ୍ତି, କିନ୍ତୁ ସବୁ ଦେଖି ଚୁପ୍ ବସିଛି ପ୍ରଶାସନ। ସ୍ଥାନୀୟ ରେଞ୍ଜର, ତହସିଲଦାରଙ୍କଠୁ ନେଇ ବାଲେଶ୍ବର ଜିଲ୍ଲାପାଳଙ୍କ ଯାଏଁ ସମସ୍ତଙ୍କ ମୁହଁ ବନ୍ଦ। ନୀଳଗିରିର ମଛୁଆ, ବେଗୁନିଆ, କେପି ଲାଖରାଜ ଓ ମହିସାପଟା ଜଙ୍ଗଲ ଓ ରାଜସ୍ବ ଜମିରେ ଚାଲିଛି ବେଆଇନ ପଥର ଖାଦାନ । ବହୁ ସ୍ଥାନରେ ଜଙ୍ଗଲ ଜମିରେ ପଥର ଓ ମୋରମ ଗଦା କରୁଛନ୍ତି। ବହୁ ମୂଲ୍ୟବାନ ଗଛ ନଷ୍ଟ ହେଉଛି। ଜଙ୍ଗଲ ଜମି ଓ ପ୍ରାକୃତିକ ପରିବେଶକୁ ବଞ୍ଚାଇବାକୁ ସ୍ଥାନୀୟ ଅଞ୍ଚଳବାସୀ ନୀଳଗିରି ରେଞ୍ଜର, ତହସିଲଦାର ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। କିନ୍ତୁ ସମସ୍ତେ ଚୁପ୍।
ଆଉ ଏ ଚିତ୍ର ହେଉଛି ନୀଳଗିରି ତହସିଲ ଅଧୀନ ମିତ୍ରପୁର ନିକଟ ବେଗୁନିଆ ଅଞ୍ଚଳର। ପଥର ମାଫିଆଙ୍କ ଆଡ୍ଡା ପାଲଟିଛି ବେଗୁନିଆ ପାହାଡ଼। ଏଠି ବି ସ୍ପଷ୍ଟ ଦିବାଲୋକର ଲୁଟ ହେଉଛି ପଥର। ଏଠି ନା କିଛି କଟକଣା ଅଛି ନା ଲଗାମ। ଗରିବ ଆଦିବାସୀଙ୍କୁ ଲୋଭ ଦେଖାଇ କାମରେ ଲଗାଇଛନ୍ତି ମାଫିଆ। ଶାବଳରେ ପଥର ଭଙ୍ଗାଯାଉଛି, ବେଗୁନିଆ ପାହାଡ଼ରୁ ଟ୍ରାକ୍ଟରରେ ବୁହାହୋଇ ବେଗୁନିଆ ଅଞ୍ଚଳର ବିଭିନ୍ନ ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲରେ ଗଚ୍ଛିତ କରି ରଖୁଛନ୍ତି। ସେଠି ଭାଙ୍ଗି ମେଟାଲ କରି ଟ୍ରକରେ ବାହାରକୁ ଚାଲାଣ କରାଯାଉଛି। ପୂର୍ବରୁ ଏଠି ଚଢ଼ାଉ ହେବାରୁ 2018ଠାରୁ ଏହି ଖାଦାନ ବନ୍ଦ ଥିଲା। କିନ୍ତୁ ଏବେ ପ୍ରଶାସନର ସ୍ଥାଣୁତା ଯୋଗୁଁ ପୁଣି ଏଠି ଚାଲିଛି ଅବାଧ କାରବାର। ଏନେଇ ନୀଳଗିରି ରେଞ୍ଜର ଆଇସା ଏ ନିସା ଓ ତହସିଲଦାର ରଞ୍ଜନ ବେହେରାଙ୍କୁ ପ୍ରତିକ୍ରିୟା ମାଗିଥିଲୁ। କିନ୍ତୁ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି। ପ୍ରଶ୍ନ ହେଲା ବାଲେଶ୍ବର ଜିଲ୍ଲାରେ ଏମିତି ଅବାଧ ପଥର ଚୋରା କାରବାର ପଛରେ କାହାର ହାତ ? ବେଆଇନ ଖାଦାନ ଉପରେ କାହିଁକି ହେଉନି ଚଢ଼ାଉ ? ସବୁ ଜାଣି ଦେଖି ଖଣି ମନ୍ତ୍ରୀ ଚୁପ୍ କାହିଁକି ?
ଅଧିକ ପଢନ୍ତୁ ଓଡ଼ିଶା ଖବର