ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସରକାରଙ୍କ ଶିଶୁ ଶ୍ରମିକ ନିରାକରଣ ଯୋଜନା ପାଲଟିଛି ପ୍ରହସନ । ଜିଲ୍ଲାରେ 85 ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବାବେଳେ ସାମ୍ନାକୁ ଆସିଛି ଆଉ ଏକ ପରିବାରର ଆର୍ଥିକ ଦୁଃସ୍ଥିତିର ବିକଳ ଚିତ୍ର । ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡା ପଂଚାୟତର ଚିଲିଗୁଡା ଗାଁରେ ପରିବାରର ବୋଝ ବହନ କରୁଛି ବାଳକ ଆସମାନ ଗୌଡ଼ । ବାପା-ମା ଛେଉଣ୍ଡ ଆସମାନ, ତିନି ନାବାଳିକା ଭଉଣୀଙ୍କ ସହିତ ଜେଜେ ମା'ର ପ୍ରତିପୋଷଣ ଭାର ବୋହୁଛି ।
ଦିନ ମଜୁରିଆ ଭାବେ କାମ କରି ଗୁଜୁରାଣ ମେଣ୍ଟାଉଥିଲେ ଚିଲିଗୁଡ଼ା ଗାଁର ଚନ୍ଦ୍ର ଗୌଡ ଓ ତାଙ୍କ ପତ୍ନୀ ଯମୁନା । 4 ବର୍ଷ ତଳେ TB ରୋଗଗ୍ରସ୍ତ ହୋଇ ଜୀବନ ହାରି ଥିଲେ ଚନ୍ଦ୍ର ଗୌଡ଼ । ସେତେବେଳେ ବଡ଼ପୁଅ ଆସମାନକୁ ମାତ୍ର 15 ବର୍ଷ ହୋଇଥିଲା । ପରେ ମାର ମୃତ୍ୟୁ ପରେ ଆସମାନଙ୍କ ପାଠ ପଢ଼ାରେ ଡୋରି ପଡ଼ିଥିଲା । ସରକାରଙ୍କ ତରଫରୁ ରାସନ କାର୍ଡ ଯୋଗାଇ ଦିଆଯାଇଥିବା ବେଳେ ପରିବାରକଗୁ କେବଳ 25 କେଜି ଚାଉଳ ମିଳୁଛି । ଏହାସହିତ ଜେଜେମାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦରେ 500 ଟଙ୍କା ମିଳୁଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି । ଏପଟେ ଦଦରା ଚାଳଘରେ ରହୁଥିବାରୁ ବର୍ଷା ସମୟରେ ଅଙ୍ଗନବାଡ଼ି କେନ୍ଦ୍ରରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି ଭାଇ, ଭଉଣୀଙ୍କ ସହ ଜେଜେମା । ଥଇଥାନ ଓ ଶିକ୍ଷାଦାନ ବ୍ୟବସ୍ଥା କରିବା ସହ ବାସଗୃହ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ବିଡିଓ । ଗରିବ ପରବାର ପାଇଁ ସରକାରଙ୍କ ଅନେକ ଯୋଜନା ଥିବାବେଳେ ଏଠାରେ ଗରିବଙ୍କ ପାଖରେ ପ୍ରଶାସନ ପହଞ୍ଚିପାରୁନଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ସରକାରଙ୍କ ଶିଶୁ ଶ୍ରମିକ ନିରାକରଣ ଯୋଜନା ବି ଫେଲ ମାରିଛି ।
ଅଧିକ ପଢନ୍ତୁ ଓଡିଶା ଖବର