ଅର୍ଗସ ବ୍ୟୁରୋ : ପେସାରେ ସେ ହେଉଛନ୍ତି ଗୃହରକ୍ଷୀ। ହେଲେ ନିଶା ତାଙ୍କର ସମାଜସେବା।ହାଡଭଙ୍ଗା ଶୀତ ହେଉ ଅବା ବର୍ଷା କାହାକୁ ବି ଖାତିର କରିନାହାନ୍ତି ସେ । ରାତିଅଧରେ ନିଛାଟିଆ ସହର ମଧ୍ୟରେ ପଇଁତରା ମାରୁଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଉମରକୋଟ ସହରର ମନୋହର ଜାନୀ । ନିଜ ପେଶାକୁ ସେ ଯେମିତି ଭଲପାଆନ୍ତି ,ନିଜ ନିଶାକୁ ବି ସେ ସେତିକି ପ୍ରାଧାନ୍ୟ ଦିଅନ୍ତି । ଦିନ ହେଉ କି ରାତି ଯେତେବେଳେ ଯେଉଁଠି ଯେଉଁ ଲୋକର ଅସୁବିଧା ପଡେ ସେ ସାଙ୍ଗେ ସାଙ୍ଗେ ଯାଇଁ ପହଞ୍ଚିଯାଆନ୍ତି । ଆଉ ତାକୁ ଯଥାସମ୍ଭବ ସାହାଯ୍ୟ କରନ୍ତି । ଯେଉଁଥିପାଇଁ ସେ ପ୍ରତ୍ୟକ ଲୋକଙ୍କ ପ୍ରିୟ ଅଟନ୍ତି । ଆଉ ବର୍ତ୍ତମାନ ମୃତ୍ୟୁ ପରେ ନିଜର ସମ୍ପୂର୍ଣ୍ଣ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇ ସେ ଏବେ ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
ମହାମାରୀ କରୋନା ପରେ ବହୁ ଲୋକଙ୍କ ହୃଦୟ, ବୃକକ୍ ଭଳି ଅନେକ ଅଙ୍ଗ ଫେଲ ହୋଇଯାଇଥିଲା । ଯେଉଁଥି ପାଇଁ ଅକାଳରେ ଅନେକଙ୍କ ପ୍ରାଣ ଚାଲି ଯାଇଥିଲା। ଏହା ବିଚଳିତ କରିଥିଲା ମନୋହରଙ୍କୁ। ସେଥିପାଇଁ ମନୋହର ମୃତ୍ୟୁ ପରେ ନିଜର ସମ୍ପୂର୍ଣ୍ଣ ଅଙ୍ଗ ଦାନକରିବେ ବୋଲି ନିଷ୍ପତ୍ତି ନେଇ ଏନେଇ ରେଜିଷ୍ଟ୍ରେସନ୍ କରିଥିବା ବେଳେ ତାଙ୍କର ଏ ନିଷ୍ପତ୍ତି ପଛରେ ପରିବାରର ସମସ୍ତଙ୍କ ସମର୍ଥନ ରହିଥିବା କହିଛନ୍ତି ମନୋହର । ତାଙ୍କ ଏପରି ନିଷ୍ପତ୍ତି ରେ ସ୍ଥାନୀୟ ଲୋକେ ଖୁବ ଖୁସି ହେବା ସହ ପ୍ରେରଣା ମଧ୍ୟ ପାଇଛନ୍ତି ।
ଆଗାମୀ ଦିନରେ ଅନ୍ୟମାନେ ମଧ୍ୟ ଅଙ୍ଗଦାନ ପାଇଁ ଆଗକୁ ଆସିବା ଦରକାର ବୋଲି କହିଛନ୍ତି ମନୋହର । ତେବେ, ମନୋହରଙ୍କ ଏଭଳି ଚିନ୍ତା ଧାରା ପାଇଁ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
ଓଡିଶା ଖବର ଆହୁରି ପଢନ୍ତୁ