ଗଜପତି: ଲୁପ୍ତ ହେବାକୁ ବସିଛି ବିଶ୍ୱପ୍ରସିଦ୍ଧ ଶିଂଘ ହସ୍ତଶିଳ୍ପ । ମୃତ ଯନ୍ତୁଙ୍କ ଶିଂଘକୁ ବିଭିନ୍ନ ଜିନିଷର ଆକାର ଦେଉଛନ୍ତି କାରିଗର । ଦେବାଦେବୀ, ପଶୁପକ୍ଷୀ, ପାନିଆଁ, ଆଶାବାଡି, ମାଛ, ପଶୁପକ୍ଷୀ ଭଳି ଅନେକ ଜିନିଷ । ଏହାକୁ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି କାରିଗର । ରାଜାରାଜୁଡା ଅମଳରୁ ମହାରଣାମାନେ ଏହି କୌଳିକ ବୃତି ଆରମ୍ଭ କରିଥିଲେ । ଅଲୋଡା ଶିଂଘରୁ ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ ଜନ ସାଧାରଣଙ୍କୁ ଆକୃଷ୍ଟ କରିପାରିଥିଲା । ଯାହାର ମୁଖସାଖୀ ପାରଳାଖେମୁଣ୍ଡିର ରଜାଦାଣ୍ଡ ସାହି ଓ ପୁରୁଣା ବସଷ୍ଠାଣ୍ଡଠାରେ ରହିଥିବା ବିଶ୍ୱକର୍ମା ଶିଂଘ ସମବାୟ ସମିତି । ହେଲେ କାଳକ୍ରମେ କଞ୍ଚାମାଲ ଅଭାବ ସାଙ୍ଗକୁ ଉଚିତ ପାରିଶ୍ରାମିକ ମିଳୁନଥିବାରୁ ଅନେକ ଜୀବିକା ଛାଡିଲେଣି ।ଆଉ କିଛି ସ୍ୱାଭିମାନୀ କାରିଗର କଳା ବଞ୍ଚାଇବା ପାଇଁ ଶିଂଘ ହସ୍ତଶିଳ୍ପକୁ ଧରି ରଖିଛନ୍ତି ।
ଶିଂଘ ଶିଳ୍ପି ମାନଙ୍କୁ ଥଇଥାନ କରିବା ପାଇଁ ୧୯୪୮ ମସିହାରୁ ବିଶ୍ୱକର୍ମା ଶିଂଘ ସମବାୟ ସମିତି ଆରମ୍ଭ ହୋଇଛି । ଯାହା ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ୱାରା ପରିଚାଳିତ ହେଉଛି । ସମୟ ଥିଲା ଏଠାରେ ୬୦ ପରିବାର କାମ କରୁଥିଲେ । କିନ୍ତୁ ବର୍ତ୍ତମାନ ୫କୁ ଖସିପଡିଛି । ତଥାପି ଏଠାରୁ କଟକ, ଭବନେଶ୍ୱର, ବ୍ରହ୍ମପୁର ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାସ୍ତରୀୟ ଉତ୍ସବକୁ ଶିଂଘ ହସ୍ତଶିଳ୍ପ ଯାଇଥାଏ । ହେଲେ ଏବେ ଏହି ଶିଳ୍ପ ଧିରେ ଧିରେ ଉଭେଇ ଯିବାକୁ ବସିଛି । ସେପଟେ ଗଜପତି ଜିଲ୍ଲାପାଳ ଶିଂଘହସ୍ତ ଶିଳ୍ପ ପାଇଁ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ଦେଖିବାକୁ ବାକି ରହିଲା ଏହି ଶିଂଘହସ୍ତଶିଳ୍ପ ପ୍ରତି ସରକାରଙ୍କର ଦୃଷ୍ଟି କେବେ ପଡୁଛି ଏବଂ ଶିଂଘହସ୍ତଶିଳ୍ପର ଭବିଷ୍ୟତ କ'ଣ ହେଉଛି ।