ବସ୍ତର ଅଞ୍ଚଳରେ ବିକାଶ ବିରୋଧୀ ତଥା ଲୋକ ବିରୋଧୀ ଚିନ୍ତାଧାରା ଥିବା ମାଓବାଦୀମାନେ ସାଧାରଣ ଲୋକଙ୍କ ପାଇଁ ଅଧିକାଂଶ ସମୟରେ ରାସ୍ତାକୁ ନଷ୍ଟ କରିଦିଅନ୍ତି, ଯେଉଁଥିପାଇଁ ଡାକ୍ତରଖାନା କିମ୍ବା ଗ୍ରାମବାସୀଙ୍କ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଗାଁରେ ପହଞ୍ଚିପାରେ ନାହିଁ ତେଣୁ ଅନେକ ଥର ସାଧାରଣ ଜନତାଙ୍କୁ ମଧ୍ୟ ଜୀବନ ହରାଇବାକୁ ପଡେ ।
ବସ୍ତର ଅଞ୍ଚଳରେ ନିୟୋଜିତ ସୁରକ୍ଷା ବାହିନୀ କ୍ରମାଗତ ଭାବରେ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ଅନ୍ୟପକ୍ଷରେ ସେମାନେ ବିଭିନ୍ନ ସମୟରେ ସାଧାରଣ ଜନତାଙ୍କୁ ସାହାଯ୍ୟ ପାଇଁ ଆଗଭର ହୋଇଥାନ୍ତି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ପଡୋଶୀ ଛତିଶଗଡ଼ ରାଜ୍ୟ ଦାନ୍ତେୱାଡା ଜିଲ୍ଲା ରେୱାଲି ଗାଁରେ । ଗାଁର କୁରମେ ନନ୍ଦେଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସ କୁ ଡାକିଥିଲେ ।
କିନ୍ତୁ ଲାଲ ବାହିନୀ ଦ୍ୱାରା ବିଭିନ୍ନ ସ୍ଥାନରେ ରାସ୍ତା ଖୋଳି ଦେଇଥିବା ଯୋଗୁଁ ଗାଁରେ ଆମ୍ବୁଲାନ୍ସ ପହଂଚିପାରିନଥିଲା । କିନ୍ତୁ ଉଚିତ ସମୟରେ ଦେବଦୂତ ସାଜିଲେ ଛତିଶଗଡ଼ର DRG ଯବାନ ମାନେ । ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଏକ ଖଟିଆରେ କାନ୍ଧରେ ବୋହି ମୁଖ୍ୟ ରାସ୍ତାକୁ ଆଣିଥିଲେ । ପରେ ଯବାନ ମାନେ ନିଜ ପେଟ୍ରୋଲିଂ ଗାଡିରେ ପାଲନା ଚିକିତ୍ସାଳୟକୁ ନେଇଥିଲେ ।
DRG ଫୋର୍ସ ଦ୍ୱାରା ଗର୍ଭବତୀ ମହିଳାଙ୍କୁ ଠିକ୍ ସମୟରେ ଡାକ୍ତରଖାନାକୁ ନେଇ ଉଭୟ ମହିଳା ଏବଂ ନବଜାତ ଶିଶୁର ଜୀବନ ବଞ୍ଚାଇଥିଲେ । ମହିଳାଙ୍କ ପରିବାର ଏବଂ ଗ୍ରାମବାସୀ DRG ଫୋର୍ସକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଏହି କଷ୍ଟଦାୟକ ସମୟରେ ପୋଲିସ ସେମାନଙ୍କୁ ଡାକ୍ତରଖାନାକୁ ନେବାରେ ସାହାଯ୍ୟ କରିଥିଲା, ଯାହାଫଳରେ ମହିଳାଙ୍କ ପ୍ରସବ ସହଜରେ ହୋଇପାରିଲା ଏବଂ ଉଭୟ ମା ଏବଂ ଶିଶୁ ସୁରକ୍ଷିତ ଅଛନ୍ତି ।