ଭଦ୍ରକ : ଆମ୍ୱୁଲାନ୍ସରୁ ଡେଇଁଲେ ରୋଗୀଙ୍କ ମା । ଘଟଣାଟି ଶୁଣିବାକୁ ଭିନ୍ନ ଲାଗୁଥିଲେ ବି ସତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ ରେଫର କରିଥିଲେ ଡାକ୍ତର ।
ରୋଗୀଙ୍କ ସମ୍ପର୍କୀୟ 108 ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । 108 ଆମ୍ବୁଲାନ୍ସ ମେଡିକାଲରୁ ରୋଗୀଙ୍କୁ ଧରି କଟକ ଯିବା ପରିବର୍ତ୍ତେ ଅନ୍ୟ ଦିଗରେ ଯାଇଥିଲା । ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରତିବାଦ ସତ୍ତ୍ୱେ ଆମ୍ବୁଲାନ୍ସକୁ ରୋକି ନ ଥିଲେ ଡ୍ରାଇଭର । ଶେଷରେ ଲୋକଙ୍କୁ ଦେଖି ଆମ୍ବୁଲାନ୍ସରୁ ଡେଇଁ ପଡିଲେ ରୋଗୀଙ୍କ ମା ।
ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଅଟକ ରଖି କର୍ମଚାରୀଙ୍କୁ ପୋଲିସର ଜିମା ଦେଇଥିଲେ । ସୂଚନାଯୋଗ୍ୟ ଯେ ଗ୍ରାମାଞ୍ଚଳ ଥାନା ରମ୍ବିଳା ଅଞ୍ଚଳର ଗୀତାରାଣୀ ବାରିକଙ୍କ ପୁଅ ଗଛରୁ ଖସିପଡିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ ।
ଲୋକେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅଟକ ରଖି ଭଦ୍ରକ ଟାଉନ ପୋଲିସକୁ ହସ୍ତାନ୍ତର କରାଯାଇଛି । ତେବେ ଘଟଣା ପରେ ଟାଉନ ପୋଲିସ 3 ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି ।