ଭୁବନେଶ୍ୱର : ମୌସୁମୀର ଆଗମନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ତେବେ ମୌସୁମୀ ଜନିତ ବର୍ଷା କେଉଁଠି ଅଧିକା ହୋଇଛି ତ ଆଉ କେଉଁଠି କମ୍ ବର୍ଷା ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ସୁଦ୍ଧା ରାଜ୍ୟରେ ୨୩ ପ୍ରତିଶତ ଅଧିକ ବର୍ଷା ହୋଇଛି । ଯାହାଦ୍ୱାରା ୧୮ଟି ଜିଲ୍ଲାରେ ପ୍ରଚୁର ବର୍ଷା ହୋଇଥିବା ବେଳେ ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଆସନ୍ତା ୨୩ ତାରିଖ ପରେ ରାଜ୍ୟରେ ମୌସୁମୀ ଦୁର୍ବଳ ହେବାର ଆଶଙ୍କା ଥିବାରୁ ଜୁନ୍ ଶେଷ ସପ୍ତାହରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା କମ୍ ରହିଛି।
ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପୂର୍ବ ଆକଳନ ଅନୁଯାୟୀ ଘୂର୍ଣ୍ଣିବଳୟ ଯୋଗୁଁ ୨୧ ଓ ୨୨ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ଘୂର୍ଣ୍ଣିବଳୟ ଯୋଗୁଁ ଏହି ଜିଲ୍ଲାମାନଙ୍କ ମଧ୍ୟରୁ ଗଞ୍ଜାମ ଓ ଗଜପତିରେ ୨୧ ଓ ୨୨ ତାରିଖରେ ପ୍ରାୟ ୫୦ ମିମି ବର୍ଷା ହେବ। ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ହାରାହାରି ୭୦ ମିଲିମିଟର ବର୍ଷା ହେବ ଓ ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ତେବେ ପୁରୀଠାରୁ ଉତ୍ତରରେ ଥିବା ଉପକୂଳ ଅଞ୍ଚଳରେ ସ୍ବଳ୍ପ ବର୍ଷା ହେବ। କେନ୍ଦ୍ରାପଡ଼ାରେ ମଧ୍ୟମ ଧରଣର ବର୍ଷା ହେବା ସହ ବାକି ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
