ଗୋଟେ ଝିଅକୁ ଜଣେ ଡାକି ନେଉଛି, ଗାଡିରେ ବସାଇ ତଣ୍ଟି ଚିପି ମାରୁଛି। ତା ପରେ ତା ଶବ ପୋତିବାକୁ ଜେସିବିରେ ଗାତ ଖୋଳୁଛି। ନିଆଁ ଲଗେଇ ପୋଡିବା ପରେ ପୁଲିସ୍ ହେପାଜତରୁ ଖସି ଯାଉଛି। ଘଟଣାରେ ପୁଣି ଖୋଦ୍ ଗୃହ ବିଭାଗ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି।
ମମିତା ଘଟଣା ବଡ଼ ଜଘନ୍ୟ। ଗୋଟିଏ ଝିଅର ହତ୍ୟା ସାରା ଓଡ଼ିଶାର ଝିଅଙ୍କ ଆତ୍ମାକୁ ଦୋହଲାଇ ଦେଇଛି। ହେଲେ ବିଜେଡିର ଦୁଇ ଯୁବ ନେତ୍ରୀଙ୍କୁ ତାଙ୍କର ଭଳି ଜଣେ ଝିଅର ଦୁଃଖ ଦିଶୁନି। ଅପହରଣ, ଯୌନ ନିର୍ଯାତନା ତଥା ହତ୍ୟା ଭଳି ସଙ୍ଗୀନ ମାମଲାରେ ଜଡିତ ଥିବା ଜଣେ ମନ୍ତ୍ରୀଙ୍କ ପାଇଁ ଢାଲ ହୋଇ ଗଣମାଧ୍ୟମରେ ବିବୃତ୍ତି ରଖୁଛନ୍ତି ଏମାନେ। ଦୁହେଁ ହେଲେ ବିଜେଡି ମୁଖପାତ୍ର ଏଲିନା ଦାସ ଓ ଇପ୍ସିତା ସାହୁ।
ପ୍ରସଙ୍ଗ ମମିତା ଘଟଣାରେ ଦୋଷୀଙ୍କୁ ଦଣ୍ଡ ଦେବା। ହେଲେ ମୁଖପାତ୍ର ଦୁଇଜଣ ପ୍ରସଙ୍ଗ ବାହାରକୁ ଚାଲି ଯାଉଛନ୍ତି। ବିଜେପିର ରାଜନୀତି, ବଲାଙ୍ଗିର ବିକାଶକୁ ବିରୋଧୀମାନେ ସହି ପାରୁ ନାହାନ୍ତି ଭଳି ଉଦଭ୍ରାନ୍ତ କଥା ଉଠୁଛି ବିଜେଡି ପ୍ରେସ୍ କନଫରେନ୍ସରେ। ତେଣୁ ଉଭୟଙ୍କୁ ପ୍ରବଳ ଟ୍ରୋଲର ଶିକାର ହେବାକୁ ପଡିଛି ସୋଶାଲ ମିଡିଆରେ।
ଏଲିନାଙ୍କୁ ଆପଣ ଅଳ୍ପେ ବହୁତେ ଜାଣିଥିବେ। ଆଲବମରେ ଅଭିନୟ ବି ଦେଖିଥିବେ। ସିଏ ଆପଣଙ୍କୁ ହସେଇଥିବେ ଆଉ କନ୍ଦେଇଥିବେ। ହେଲେ ବିଜେଡିରେ ସାମିଲ ହେବା ପରେ ଏଲିନା ମାଡାମଙ୍କୁ ସତ ମିଛ ଜଣା ପଡୁନି। ସାରା ରାଜ୍ୟରେ ବିଜେଡି ବିରୋଧି ହାଓ୍ବା ଥିବା ବେଳେ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ସମସ୍ତଙ୍କୁ କଣ୍ଟା ଭଳି ଫୋଡି ହେଉଛି କିନ୍ତୁ ସେ ଢାଲ ସାଜିଛନ୍ତି ଦଳୀୟ ସ୍ବାର୍ଥରେ।
୨ୟ ଜଣକ ହେଉଛନ୍ତି ବିଜେଡିର ଅନ୍ୟତମ ମୁଖପାତ୍ର ଇସ୍ପିତା ସାହୁ। ଛାତ୍ର ରାଜନୀତିରୁ ପ୍ରତ୍ୟକ୍ଷ ରାଜନୀତିକୁ ନୂଆ ନୂଆ ଓହ୍ଲାଇଥିବା ଗୋଟେ ନୂଆ ମୁହଁ ନୂଆ ଚରିତ୍ର। ରମାଦେବୀ ମହାବିଦ୍ୟାଳୟ ଛାତ୍ରସଂଘ ରାଜନୀତିରୁ ବିଜେଡି ରାଜନୀତିକୁ ଆସିଥିବା ଇସ୍ପିତା ମଧ୍ୟ ଅପରାଧିଙ୍କ ପକ୍ଷ ବୁଝିପାରୁ ନାହାନ୍ତି। ଦଳୀୟ ସ୍ବାର୍ଥରେ ଅଭିଯୁକ୍ତଙ୍କ ପାଇଁ ଗଣମାଧ୍ୟମ ସମ୍ମୁଖରେ ଓକିଲାତି କରୁଛନ୍ତି। ଯେଉଁଥିପାଇଁ ଉଭୟଙ୍କୁ ଶୋସାଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡୁଛି। ୟୁଜରମାନେ ନକାରାତ୍ମକ ଟିପ୍ପଣୀ ଦେଉଛନ୍ତି।
ସୂଚନାଯୋଗ୍ୟ, ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେପିର ବିକ୍ଷୋଭ ନେଇ ବିଜେଡିର ବାରମ୍ବାର ପ୍ରତିକ୍ରିୟା ରଖୁଛି । ବିଜେଡି ପାର୍ଟି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖୁଛନ୍ତି ବିଜେଡି ମୁଖପାତ୍ର ଏଲିନା ଦାସ ଓ ଇପ୍ସିତା ସାହୁ । ହେଲେ ବଡ ବଡ ମୁଖପାତ୍ରଙ୍କ ଦେଖା ନାହିଁ। ସସ୍ମିତ ପାତ୍ର, ଲେନିନ୍ ମହାନ୍ତି, ସୁଲାତ ଦେଓ, ସୁଲୋଚନା ଦାଶ ଏ ପ୍ରବୀଣ ମୁଖପାତ୍ରଙ୍କ ଦେଖା ଦର୍ଶନ ନାହିଁ। ବଡ଼ ପ୍ରସଙ୍ଗରେ ସେମାନଙ୍କ ମୁହଁରେ ତୁଣ୍ଡି କଣ ପାଇଁ ବନ୍ଧା ହୋଇଛି ବୋଲି ବି ପ୍ରଶ୍ନ ଉଠିଛି।
ବିଜେଡି ପ୍ରେସ କନଫରେନ୍ସ କରି ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପରେଖ ଦିଆଯାଉଛି ବୋଲି ଅଭିଯୋଗ କରୁଛି । ବିଜେପି ମହିଳା ମୋର୍ଚ୍ଚା ଶସ୍ତା ଓ ହୀନ ରାଜନୀତି କରୁଛି । ଥରେ ମାମଲା ରୁଜୁ ହେଲେ, ତଦନ୍ତ ଚାଲେ । ଜାଣିଶୁଣି ବିଜେପି ପୁଣି ମାମଲା ରୁଜୁ କରୁଛି । କାହା ଫେସ ମିଡିଆରେ କିଏ କେତେ ସମୟ ଦେଖାଯିବ, ସେମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି ବୋଲି ଉପର ବର୍ଣ୍ଣିତ ଦୁଇ ନୂଆ ମୁଖପାତ୍ର ବାରମ୍ବାର କହୁଛନ୍ତି।
ତାଙ୍କ କଥାରେ ନାଁ ଅଛି ବଲାଙ୍ଗୀର ଏସପି କଥା। ନା ଅଛି ପୁଲିସ ଏତଲା ନ ରଖିବା ପ୍ରସଙ୍ଗ। ମମିତାଙ୍କ ହତ୍ୟାକରୀ ଗୋବିନ୍ଦ ସାହୁ ବିଷୟରେ ସେମିତି ବିଶେଷ କିଛି ନ କହି ଶସ୍ତା ରାଜନୀତି, କ୍ୟାମେରାରେ ମୁହଁ ଦେଖାଇବାକୁ ଠେଲା ପେଲା ଭଳି ଅଯଥା ପ୍ରସଙ୍ଗ ଉଠାଉଛନ୍ତି।
ବିଜେପି ବିକ୍ଷୋଭ ପ୍ରଦର୍ଶନ କରି ସେ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଭବିଷ୍ୟତ ଖରାପ କରୁଛି ବୋଲି ଯେଉଁ ଅଭିଯୋଗ ଏହି ଦୁଇ ମୁଖପାତ୍ର କରୁଛନ୍ତି, ତାକୁ ମଧ୍ୟ ସୋସିଆଲ ମିଡିଆ ୟୁଜର ଠିକରେ ଗ୍ରହଣ କରୁ ନାହାନ୍ତି। ଦେଖାଯାଉ କୋଉ ପାଣି କୁଆଡେ ଯାଉଛି ?