ରଣପୁର ବ୍ଲକ ଚମ୍ପତ୍ତିପୁର ଗାଁ ଦେଇ ବହିଯାଇଛି ମଲାଗୁଣି ନଦୀ। ଆଉ ବ୍ରିଟିଶ ଅମଳରୁ ନଦୀ ଛାତିରେ ଛିଡ଼ା ହୋଇଛି ଏହି ସେତୁ। ଭଲକରି ଦେଖନ୍ତୁ ଶହେ ବର୍ଷର ସେତୁଟିକୁ। ତଳ ଫାଟି ଆଁ କରିଛି। ମାଙ୍କଡ଼ା ପଥରରେ ନିର୍ମିତ ପିଲାରରୁ ପଲସ୍ତରା ଛାଡ଼ି ଯାଇଛି। ସେତୁ ଉପରେ ଭାରିଯାନ ଚଢିବା ମାତ୍ରେ ତାହା ଦୋହଲୁଛି। ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ଚୁପ ବସିଛି ସ୍ଥାନୀୟ ପ୍ରଶାସନ। ତେବେ ସେତୁଟି ରଣପୁରକୁ ସିଧା ସୁନାଖଳା, ବୋଲଗଡ଼, ଟାଙ୍ଗୀ ସହ ନୟାଗଡ କୁ ଯୋଡୁଥିବାରୁ ପ୍ରତିଦିନ ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛି ଶହ ଶହ ଗାଡ଼ି।
ଏ ବିପଦକୁ ସମସ୍ତେ ବୁଝୁଛନ୍ତି ଆଉ ଜାଣୁଛନ୍ତି। କିନ୍ତୁ କିଛି ବିକଳ୍ପ ବାଟ ନ ଥିବାରୁ ଲୋକେ ଭାଗ୍ୟକୁ ଆଦରି ଯା'ଆସ କରୁଛନ୍ତି। ବଡ଼ ଅଘଟଣ ଆଶଙ୍କାକୁ ବାରୁଥିବା ସତ୍ତ୍ୱେ ପ୍ରଶାସନ କି ପୂର୍ତ୍ତ ବିଭାଗ ଏହାକୁ ତୁରନ୍ତ କାମକରୁନାହାନ୍ତି। ଅନ୍ୟପକ୍ଷେ ନୂତନ ସେତୁ ପାଇଁ 2016ରେ 6 କୋଟି ମଞ୍ଜୁର ହୋଇ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନିର୍ମାଣ କାମ ଆରମ୍ଭ ହୋଇନାହିଁ। ଏ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଗ୍ରାମବାସୀ ଅଭିଯୋଗ ମୁତାବକ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ବେଳେ ଯଦି ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ କରାନଯାଏ । ଗ୍ରାମବାସୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l