ଫୁଲବାଣୀ ସହରର ମାଦିକୁନ୍ଦା ଛକରେ ଏଣେତେଣେ ବୁଲୁଥିବା ଏବଂ ଦୋକାନ ବାରଣ୍ଡାରେ ରାତ୍ରୀଯାପନ କରୁଥିବା ଏହି ବୃଦ୍ଧ ବ୍ୟକ୍ତି ଙ୍କ ନାମ ବିଚ୍ଛନ୍ଦ ଦିଗାଲ । ନିଜ ଗାଁ ଟିକାବାଲି ବ୍ଲକ୍ ଅନ୍ତର୍ଗତ ବସ୍ତିଙ୍ଗିଆ ତାଡିପାଜୁ ଅଞ୍ଚଳର । ବାର୍ଦ୍ଧକ୍ୟ ଯୋଗୁଁ ବୃଦ୍ଧ ଜଣଙ୍କ ନିଜ ନାଁ ଗାଁ ଏବେ ସଠିକରେ କହିପାରୁ ନାହାନ୍ତି । ସେ ବାହା ହୋଇନାହାନ୍ତି କି ତାଙ୍କର ଘର ଓ ପରିବାର ନାହିଁ । ପାଖାପାଖି ୨୦ ବର୍ଷ ହେଲା ଗାଁ ଛାଡିଲେଣି ବୃଦ୍ଧ ବିଚ୍ଛନ୍ଦ । ଏଣେତେଣେ କିଛିଦିନ କାମ କରିବା ପରେ ବାର୍ଦ୍ଧକ୍ୟ ଦୃଷ୍ଟିରୁ ଫୁଲବାଣୀ ସହରକୁ ଚାଲିଆସିଥିଲେ । ଆଶା କରିଥିଲେ କାମ କରି ପେଟ ପୋଷିବେ। ମାତ୍ର, ତାଙ୍କୁ ସେମିତି କିଛି କାମ ମିଳିଲା ନାହିଁ । ଏହାମଧ୍ୟରେ ବାର୍ଦ୍ଧକ୍ୟ ତାଙ୍କୁ କବଳିତ କଲା । ଏବେ ସେ ବୟସର ଅପରାହ୍ଣରେ ପହଞ୍ଚିଥିବା ବେଳେ ପେଟ ଚାଖଣ୍ଡକ ପାଇଁ ଭିକ୍ଷାବୃତ୍ତି କରୁଛନ୍ତି ।
ଆଉ ଭିକ୍ଷାବୃତିରୁ ଯାହା କିଛି ଟଙ୍କା ମିଳେ ସେ ଟଙ୍କାରେ ମାଦିକୁନ୍ଦା ଛକରେ ଥିବା ଏକ କୁକୁଡ଼ା ମାଂସ ଦୋକାନରୁ ପୁଟା ଓ କଲିଜା ଶସ୍ତାରେ କିଣି ତାକୁ କଞ୍ଚା ଖାଇଥାନ୍ତି। ଖାଇସାରିବା ପରେ ପେଟେ ପାଣି ପିଇଦେଲେ ତାଙ୍କର ଦିନକର କ୍ଷୁଧା ମେଣ୍ଟିଯାଏ ବୋଲି କହନ୍ତି । ମାଂସ ଦୋକାନୀଙ୍କ କହିବା ଅନୁଯାୟୀ, ପାଖାପାଖି ପାଞ୍ଚ ବର୍ଷ ହେଲା ବିଚ୍ଛନ୍ଦ ତାଙ୍କ ଦୋକାନରୁ କଞ୍ଚାମାଂସ କିଣି ଖାଉଛନ୍ତି । ଦଶରୁ କୋଡିଏ ଟଙ୍କା ଦେଲେ ବିଛନ୍ଦଙ୍କୁ କଲିଜା, ପୁଟା ଓ କରାଟ ମିଳିଯାଏ । ବିଛନ୍ଦ ଏହାକୁ କିଣିନେଇ ପାଖ ଦୋକାନ ବାରଣ୍ଡାରେ ବସି କଞ୍ଚା ଚୋବାଇଯାଆନ୍ତି। ଅନ୍ୟପକ୍ଷରେ, ଦୀର୍ଘବର୍ଷ ଧରି କଞ୍ଚା ମାଂସ ଖାଇବା ସତ୍ତ୍ବେ ଏଥିଯୋଗୁଁ କେବେ ତାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇନାହିଁ। କମାଂସକୁ ସେ ସହଜରେ ହଜମ କରିପାରୁଛନ୍ତି ତେବେ ବୟସ ଦୃଷ୍ଟିରୁ ଗୋଡହାତ ବଥା ହେଉଥିବା କହନ୍ତି ବିଚ୍ଛନ୍ଦ ।
ବୃଦ୍ଧ, ଅସହାୟ ଏବଂ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନା ବଳରେ କେହି ଅନାହାରରେ ରହିବେ ନାହିଁ ବୋଲି ସରକାର ଘୋଷଣା କରୁଛନ୍ତି। ବହୁ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଜରାନିବାସ ଭଳି ଅନୁଷ୍ଠାନରେ ରଖାଯାଇ ଥଇଥାନ କରାଯାଉଥିବା ବେଳେ ଫୁଲବାଣୀ ସହରରେ କାନକୁ ଭଲ ଶୁଭୁଥିବା ଏସବୁ ଯୋଜନା ଯେମିତି ମୂଲ୍ୟହୀନ ହୋଇଯାଇଛି। ବିଛନ୍ଦଙ୍କର ମୁଣ୍ଡ ଗୁଞ୍ଚିବା ପାଇଁ ଜାଗା ଖଣ୍ଡେ ନାହିଁ। ସେ ଫୁଲବାଣୀ ସହରର ବିଭିନ୍ନ ଦୋକାନ ପିଣ୍ଡା କିମ୍ବା କୌଣସି ଗଛମୂଳେ ଆଶ୍ରୟ ନେଇଥା'ନ୍ତି। ଆଜକୁ ଦୀର୍ଘବର୍ଷ ଧରି ଫୁଲବାଣୀ ସହରରେ ଜଣେ ଗରିକ ନିରାଶ୍ରୟ ବୃଦ୍ଧ ରନ୍ଧାଖାଦ୍ୟ ଖାଇବାକୁ ନ ପାଇ କଞ୍ଚା ମାଂସ ଖାଇ ବଞ୍ଚିବା ଘଟଣା ସରକାରଙ୍କ ଏସବୁ ଯୋଜନାକୁ ବୃଥା କରିଦେଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: