ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଆମ୍ବପିଛୁଳାର କବିତା ଆରୁଖ ଓ ଭଗବାନ ଆରୁଖଙ୍କ ପୁଅ ରଞ୍ଜନ ଆରୁଖ। ଆଜିକୁ 16 ବର୍ଷ ହେବ କାମ କରିବା ପାଇଁ ରାଜ୍ୟ ବାହାରକୁ ଯାଇଥିଲା ରଞ୍ଜନ। 4 ବର୍ଷ ଯାଏଁ ବାପାମାଙ୍କ ଯୋଗାଯୋଗରେ ଥିଲା । ତାହାପରେ ଆଉ ତାର ଖୋଜ ଖବର ନଥିଲା। 12 ବର୍ଷ ଧରି ଖୋଜାଖୋଜି ପରେ ଜଣେ ସଂପର୍କୀୟଙ୍କଠାରୁ ପୁଅ ବମ୍ବେର ଏକ ହୋଟେଲରେ କାମ କରୁଥିବା ଜାଣିବାକୁ ପାଇଥିଲେ କବିତା ଓ ଭଗବାନ । ଏହାପରେ ପୁଅକୁ ଆଣିବାକୁ ସେଠାରେ ପହଞ୍ଚିଥିଲେ ବାପାମାଆ। ପୁଅକୁ ଫେରାଇ ଆଣିବାକୁ କହିଥିଲେ । ହେଲେ ରଞ୍ଜନକୁ ଛାଡିନଥିଲେ ହୋଟେଲ ମାଲିକ । କାରଣ ରମେଶ ନାମକ ଜଣେ ବ୍ୟକ୍ତି ପୁଅକୁ ସେଠାରେ ବିକି ଦେଇଛନ୍ତି। ଏଥିପାଇଁ ରମେଶକୁ ଯୋଗାଯୋଗ କରିଥିଲେ ବାପାମା, ହେଲେ ତାର ଦେଖାଦର୍ଶନ ମିଳିନଥିଲା । ଏବେ ପୁଅ କିପରି ଫେରିବ ତାକୁ ନେଇ ଆକୁଳ ନିବେଦନ କରିଛନ୍ତି ବାପାମାଆ ।
ତେବେ ରଞ୍ଜନ ସେଠାରେ କେବଳ ବନ୍ଧା ପଡିନାହିଁ, ବରଂ ତାଙ୍କୁ ସେଠାରେ ନିର୍ଯାତନା ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ହୋଟେଲ ମାଲିକ ତାଙ୍କ ପୁଅ ସହିତ କଥା ହେବାକୁ ମଧ୍ୟ ଦେଇନାହିଁ । ତେବେ ବମ୍ବେର ଏହି ହୋଟେଲରେ ବନ୍ଧା ପଡିଥିବା ରଞ୍ଜନଙ୍କୁ ମୁକୁଳାଇବାରେ ସହାୟତା ଲାଗି ପରିବାର ଲୋକ ପ୍ରଶାସନକୁ ନିବେଦନ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ରମେଶ କିଏ ? ସେ କେଉଁଆଡେ ଗଲା । କାହିଁକି ତାର ଖୋଜଖବର ନାହିଁ । ଏନେଇ ଜିଲ୍ଲା ପ୍ରଶାସନ ଯଦି ସହାୟତାର ହାତ ବଢାଇ ତଦନ୍ତ କରିବ ତେବେ ନିଜ ପୁଅକୁ ଫେରି ପାଇପାରନ୍ତେ ବାପାମାଆ ।