ଆଜି ଜୟପୁରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ଓଡ଼ିଶାକୁ ମୋଦି ସରକାର ଅନୁଦାନ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ସେହି ଟଙ୍କାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଉନାହାନ୍ତି । ଫଳରେ ଗରୀବ ଲୋକଙ୍କ ଆର୍ôଥକ ବିକାଶରେ ବାଧାପ୍ରାପ୍ତି ହେଉଛି । ଜୟପୁରରେ ଆଜିପର୍ଯ୍ୟନ୍ତ “ଜାଗା ମିଶନ”ର କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏହି ଅଂଚଳରେ ଶୁଦ୍ଧପାନୀୟ ଜଳ ଯୋଗାଇବାରେ ବିଫଳ । ରାଜ୍ୟରେ ୫୬ହଜାର ସ୍କୁଲରେ ପାଠପଢ଼ା ବନ୍ଦ ଓ ୪୦ଲକ୍ଷ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ କରନ୍ତୁ । ଶିକ୍ଷକମାନଙ୍କ ମୌଳିକ ଦାବି ପୂରଣ କରନ୍ତୁ । ବିଜୁ ଜନତା ଦଳର ନୈତିକ ସାହସ ଅଛି ତାହେଲେ ଓଡ଼ିଶାର କେଉଁ ପଞ୍ଚାୟତରେ କେତେ ଟଙ୍କାର କାର୍ଯ୍ୟ ହୋଇଛି, ତାହା ଘୋଷଣା କରନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି ।
୨୩ବର୍ଷର ନବୀନ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ, ନିଯୁକ୍ତି ଇତ୍ୟାଦିରେ ଫେଲ ମାରିଛି । ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଜିଲ୍ଲାଗସ୍ତ କରୁଛନ୍ତି, ଯାହା ଅତ୍ୟନ୍ତ ଚିନ୍ତାଜନକ । ସବୁଠୁ ବଡକଥା ହେଲା ନବୀନ ବାବୁ ଓଡ଼ିଶାର ଲୋକଙ୍କୁ ରୋଜଗାର ନଯୋଗାଇ ଅଣଓଡ଼ିଆଙ୍କୁ ଆଣି ଓଡ଼ିଶାରେ ନିଯୁକ୍ତି ଦେଉଛନ୍ତି । ଅଣଓଡ଼ିଆ ଠିକାଦାର ଓ ରାଜ୍ୟ ସରକାର ମିଳି ଓଡ଼ିଶାକୁ ବିପଦଗାମି କରିସାରିଲେଣି । ଓଡ଼ିଶାବାସୀ ବିଜେଡି ସରକାରର ଏକଛତ୍ରବାଦ ଶାସନକୁ ବରଦାସ୍ତ କରିବେ ନାହିଁ । ଦୁର୍ନୀତି, ଭ୍ରଷ୍ଟାଚାର ଓ ଅହଂକାରରେ ବୁଡି ରହିଥିବା ବିଜେଡି ସରକାରର ବିନାଶର ସମୟ ଆସିଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଶାସନକୁ ଆସିବା ପରେ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଛନ୍ତି । ଯାହାର ଉଦାହରଣ ଆଦିବାସୀବହୁଳ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି । ବନ୍ୟଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କାରଣରୁ ସ୍ଥାନୀୟ ଅଂଚଳବାସୀଙ୍କର ଆର୍ଥୀକ ଅଭିବୃଦ୍ଧି ଘଟିଛି । ମୋଦିଜୀଙ୍କ ପ୍ରୟାସରେ ଜୟପୁରରେ “ଉଡାନ” ଯୋଜନାର କାର୍ଯ୍ୟକାରୀ ଫଳରେ ଲୋକେ ରାଜଧାନୀ ଭୁବନେଶ୍ୱରକୁ ମାତ୍ର ଦେଢ଼ ଘଣ୍ଟାରେ ପହଞ୍ଚିପାରୁଛନ୍ତି । କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥାପିତ ହୋଇଛି । ସେହିପରି ଭାରତମାଳା ଯୋଜନାରେ ରାୟପୁର ଓ ବିଶାଖାପାଟଣା ରାଜପଥକୁ ଯୋଡିଛନ୍ତି, ରାଞ୍ଚି ଓ ବିଜୟୱାଡା କରିଡର ନିର୍ମାଣ କୋଟି କୋଟି ଟଙ୍କା ବ୍ୟୟରେ ଚାଲିଛି । ମାଲକାନଗିରିକୁ ରେଳ ସେବା ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଜୀ ଓ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀ ତଥା କୋରାପୁଟ ଜିଲ୍ଲାବାସୀଙ୍କ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।
ସେହିପରି ଓଡ଼ିଶାର ମା’ମାନଙ୍କୁ ଧୂଆଁରୁ ରକ୍ଷା କରିବାକୁ ଯାଇ ମୋଦିଜୀ ସାଧାରଣ ଗରିବଙ୍କ ନୂଆ ୭୫ଲକ୍ଷ ଉଜ୍ଜଳା ଗ୍ୟାସ ଘୋଷଣା କରିବା ସହ ୨୦୦ଟଙ୍କା ସବ୍ସିଡିରେ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ୯ଲକ୍ଷ ୩୦ହଜାର ଲୋକଙ୍କୁ ମାଗଣାରେ ଘର ଯୋଗାଇଛନ୍ତି,୪୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ କୋରାପୁଟରେ ୧୧ଟି ଏକଲବ୍ୟ ସ୍କୁଲ ମାନ୍ୟତା ଦେଇଛନ୍ତି ସେଥିରୁ ୭ଟି ଶିଳାନ୍ୟାସ ହୋଇଛି । କେନ୍ଦ୍ର ସରକାରଙ୍କ ଅନୁଦାନରେ କୋରାପୁଟରେ ମେଡିକାଲ କଲେଜ ଓ ସେଣ୍ଟ୍ରାଲ ବିଶ୍ୱବିଦ୍ୟାଳୟ ସ୍ଥାପନା ହୋଇଛି । ଏନେଇ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅତନୁ ପଣ୍ଡା ଓ ବିଶେଶ୍ୱର ଟୁଡୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ସାମଲ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର ଓ ପୂର୍ଣ୍ଣିମା ନାୟକ, ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ କାଳିରାମ ମାଝୀ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାତମ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ ରାଜନୀତି ଖବର