ଅର୍ଗସ ବ୍ୟୁରୋ: ସାରାରାଜ୍ୟରେ ପୂଜା ଧୁମ୍ । ନୂଆପଡ଼ାରୁ ନବରଙ୍ଗପୁର । ମୟୂରଭଞ୍ଜରୁ ମାଲକାନଗିରି । ଶକ୍ତିପୀଠରେ ଭକ୍ତିମୟ ପରିବେଶରେ ଆଦିଶକ୍ତିଙ୍କୁ ଆବାହନ କରାଯାଉଛି । ଘଣ୍ଟଘଣ୍ଟା, ଶଙ୍ଖ ଓ ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ପୂଜା ମଣ୍ଡପ । ଦୁର୍ଗତୀ ନାଶିନୀଙ୍କ ଦର୍ଶନ ପାଇଁ ସଂଧ୍ୟା ହେଲେ ମଣ୍ଡପରେ ଲାଗୁଛି ପ୍ରବଳ ଗହଳି । ନବରଙ୍ଗପୁର ଜିଲ୍ଲାରେ ଆକର୍ଷଣ ସାଜିଛି ପାପଡ଼ାହାଣ୍ଡି ଦୁର୍ଗାପୂଜା । ଏଠି ୨ଟି ସ୍ଥାନରେ ପୂଜା ହେଉଥିବା ବେଳେ, ପୂଜାକୁ ପୁରିଛି ୨୫ ବର୍ଷ । ଏହି ଅବସରରେ ଅଯୋଧ୍ୟାର ରାମ ମନ୍ଦିର ଆକୃତିର ମଣ୍ଡପ କରାଯାଇଛି । ଯାହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ।
ଭଦ୍ରକର ବହୁ ପୁରାତନ ଜାନୁଗଞ୍ଜ ପୂଜା ମଣ୍ଡପରେ ବେଶ ଧୂମଧାମରେ ମାଆଙ୍କ ପୂଜାର୍ଚନା କରାଯାଉଛି । ଆଜି ମାଙ୍କ ମହାନବମୀ ପୂଜା ଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା ମଣ୍ଡପରେ । ମାଙ୍କ ପାଖରେ ହୋମଯଜ୍ଞ ସହ ପୂଜା ପାଠ କରାଯାଉଛି । ଏହି ପୂଜା କମିଟିର ବିଶେଷ ଆକର୍ଷଣ ହେଉଛି ରାବଣ ପୋଡି ଉତ୍ସବ । ସାଳନ୍ଦୀ ନଦୀ କୂଳରେ ଏହି ରାବଣ ପୋଡି ଦେଖିବା ପାଇଁ ଶହ ଶହ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇଥାଏ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ସାତଭାୟାରେ ମହା ଆଡ଼ମ୍ବରରେ ମହା ନବମୀ ପୂଜା ହେଉଛି । ୧୧ ବର୍ଷ ଧରି ଏଠି ମାଆ ପୂଜା ପାଇ ଆସୁଛନ୍ତି । ଦିନେ ଏଠି ଚୋରି ଡକାୟତି ଲୁଟପାଟ୍ ସହ ମାଓବାଦୀଙ୍କ ଉପଦ୍ରବ ଥିଲା । ହେଲେ ମାଆଙ୍କ ପୂଜାର୍ଚ୍ଚନା ପରେ ଲୋକେ ନିର୍ଭୟରେ ଏଠି ବସବାସ କରୁଛନ୍ତି ।
କଳାହାଣ୍ଡି ନର୍ଲା ରୋଡ଼ ଦୁର୍ଗା ପୀଠ ସମେତ ନର୍ଲାର ବିଭିନ୍ନ ସ୍ଥାନରେ ନବରାତ୍ର ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି । ଚଳିତ ବର୍ଷ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଏଠି 52 ବର୍ଷରେ ପଦାର୍ପଣ କରିଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ଆଳତୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି । ପୂର୍ବରୁ ମାଆଙ୍କ ମୂର୍ତ୍ତି ପୂଜା ହେଉଥିଲା ଗତ ଦୁଇ ବର୍ଷ ହେଲାଣି ମନ୍ଦିର ନିର୍ମାଣ ହୋଇ ପୀଠରେ ପୂଜା ପାଉଛନ୍ତି l ସେପଟେ ଉପାନ୍ତ ନୂଆପଡ଼ା ବୋଡେନରେ ଜମୁଛି ଦୁର୍ଗାପୂଜା । କେଦାରନାଥ ମନ୍ଦିର ସଦୃଶ୍ୟ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଆ ଦୁର୍ଗା l ଯେଉଁଠି ପ୍ରତିଦିନ ଦୁର୍ଗମ ବାସୀଙ୍କ ଜମୁଛି ଭିଡ଼ । ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ଉପାନ୍ତ ବୋଡେନ l ପ୍ରତିଦିନ ସାଂସ୍କୃତିକ ସନ୍ଧ୍ୟାରେ ଜମୁଛି ଉପାନ୍ତ ବାସୀଙ୍କ ଭିଡ଼ l
ଗଞ୍ଜାମ ଜିଲ୍ଲା ମାଣ୍ଡିଆପୁଲ୍ଲୀ ଠାରେ ଗୁପ୍ତା ସମାଜ ପକ୍ଷରୁ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଯାଇଛି l ପ୍ରତ୍ୟେକ ଦିନ ଏଠାରେ ମାଁଙ୍କ ପୂଜା ନୀତିକାନ୍ତି ସହିତ ଅନୁଷ୍ଠିତ ହେଉଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନ ମଧ୍ୟ ଅନୁଷ୍ଠିତ ହେଉଛି l
ଅଧିକ ପଢ଼ନ୍ତୁ ଓଡିଶା ଖବର: