ଏ ଅସହାୟ ବୃଦ୍ଧାଙ୍କର କାହାଣୀ ଖୋଲିଦେଉଛି ଓଡ଼ିଶାରେ କେମିତି ଆବାସ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର। ଘର ଖଣ୍ଡିଏ ପାଇବା ପାଇଁ ଏମିତି କାକୁତି ମିନତୀ ହେଉଛନ୍ତି ଗରିବ ହିତାଧିକାରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ପାଇଁ ମୋଦି ସରକାର ଓଡ଼ିଶାକୁ 35 ହଜାର କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ରାଜ୍ୟରେ ଗରିବଙ୍କୁ ମିଳୁନି ଘର। ରାଜ୍ୟରେ ଆବାସ ଯୋଜନା କାର୍ଯ୍ୟକାରିତାରେ ଦୁର୍ନୀତି, ଅବହେଳା ଓ ଅପରାଗତା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆବାସରୁ ବଞ୍ଚିତ ଗରିବ ହିତାଧିକାରୀ ବି ରାଜ୍ୟ ସରକାରଙ୍କ ବିରୋଧରେ ଖଡ଼ଗହସ୍ତ।
ରାଜ୍ୟରେ ଆବାସ ଯୋଜନାରେ କେମିତି ଦୁର୍ନୀତି ହେଉଛି ତାର ଉଦାହରଣ ହେଉଛନ୍ତି ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକ ଟେମେରା ପଞ୍ଚାୟତର ଲିଙ୍ଗରାଜ ହରିଜନ। ସରକାରୀ ଆବାସକୁ ଅନାଇ ଅନାଇ ବୟସ 70 ପାର ହୋଇଗଲା। ହେଲେ ଲିଙ୍ଗରାଜଙ୍କ ହରିଜନ ନାଁ ରାଜ୍ୟ ସରକାରଙ୍କ ଯୋଗ୍ୟ ଆବାସ ହିତାଧିକାରୀ ତାଲିକାରେ ଚଢ଼ିପାରିଲା ନାହିଁ। ପଞ୍ଚାୟତରୁ ନେଇ ବ୍ଲକ ଅଫିସ ଯାଏ ବାରମ୍ବାର ଦୌଡ଼ିବା ପରେ ବି କେହି ଶୁଣିଲେନି। ସେହିପରି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଖଇରପଲ୍ଲୀ ପଂଚାୟତର ପ୍ରସନ୍ନ ସ୍ବାଇଁ ନିଜର ଦିବ୍ୟାଙ୍ଗ ପୁଅ ସାଙ୍ଗକୁ ସ୍ତ୍ରୀ ଓ ଝିଅଙ୍କୁ ନେଇ ଏହି କୁଡ଼ିଆରେ ଭାଗ୍ୟକୁ ନିନ୍ଦି ପଡ଼ିଛନ୍ତି। ଛିଣ୍ଡା ପାଲକୁ ଘୋଡ଼ାଇ ମାଟି କାନ୍ଥକୁ ଖରା ବର୍ଷା ଦାଉରୁ ରକ୍ଷା କରୁଛନ୍ତି ଏ ଦିନ ମଜୁରିଆ।
ଏମାନଙ୍କ ଭଳି ଲକ୍ଷ ଲକ୍ଷ ପରିବାର ଦୟନୀୟ ଅବସ୍ଥାରେ ଝାଟିମାଟି ଘରେ ପଲିଥିନ ତଳେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ। କିନ୍ତୁ 23 ବର୍ଷର ବିଜେଡି ସରକାର ପାଇଁ ଏମାନେ ପକ୍କାଘର ପାଇଁ ଯୋଗ୍ୟ ନୁହନ୍ତି। ଗୋଟିଏ ପଟେ ମୋଦି ସରକାର ଓଡ଼ିଶାର ଏପରି ବାସହୀନଙ୍କ ପାଇଁ 41 ଲକ୍ଷ 72 ହଜାର ପ୍ରଧାନମନ୍ତ୍ରୀ ଆବାସ ଦେବାକୁ ପ୍ରସ୍ତୁତ କିନ୍ତୁ ରାଜ୍ୟ ସରକାର ନିଜ ଅପରଗତା ଯୋଗୁଁ ଏହାକୁ ଗ୍ରହଣ କରିବାକୁ ନାରାଜ। ଯେତିକି ବି ପକ୍କାଘର ଓଡ଼ିଶାକୁ କେନ୍ଦ୍ରରୁ ମିଳିଛି ତାର ଆବଣ୍ଟନରେ ବ୍ୟାପକ ଦୁର୍ନୀତି। ଯେଉଁଥିପାଇଁ 6 ଲକ୍ଷ ଘର ଫେରିଗଲା। ଏନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ମୋଦି ସରକାର ଓଡ଼ିଶାକୁ ଦେଇଥିବା 32 ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ 2024 ମାର୍ଚ୍ଚ 31 ସୁଦ୍ଧା ତିଆରି ଶେଷ କରିବାକୁ ପଡ଼ିବ। ନଚେତ ଫେରିଯିବ ଅର୍ଥ। ଏହି ଲକ୍ଷ୍ୟରେ ପହଞ୍ଚିବାକୁ ହେଲେ ଦୈନିକ 9 ହଜାର ଘର ତିଆରି କରିବାକୁ ପଡ଼ିବ କିନ୍ତୁ ତିଆରି ହେଉଛି ମାତ୍ର 32ଟି । ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣରେ ଏହି କଚ୍ଛପଗତିକୁ ନେଇ ବିଜେଡି ସରକାରଙ୍କ ଉପରେ ଧୁମ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧିନରେ ପକ୍କାଘର ତିଆରି ପାଇଁ ମୋଦି ସରକାର ଓଡ଼ିଶାକୁ ଦେଇଛନ୍ତି 35 ହାଜର କୋଟି ଟଙ୍କା । ହେଲେ ମିଛ ବିକାଶର ଡିଣ୍ଡିମ ପିଟିବା ଭିତରେ ସଭିଙ୍କ ମୁଣ୍ଡ ଉପରେ ପକ୍କାଘର ନେଇ ନିଜ ପ୍ରତିଶ୍ରୁତି ଭୁଲିଯାଇଛନ୍ତି ବିଜେଡି ସରକାର।
ଆହୁରି ପଢନ୍ତୁ ଓଡିଶା ଖବର...