ଅର୍ଗସ ବ୍ୟୁରୋ: ଆଜି ହେଉଛି ପବିତ୍ର ନନ୍ଦ ଉତ୍ସବ। ଆଜିଠାରୁ ହିଁ ସଂସ୍କୃତି ଓ ପରମ୍ପରାର ପ୍ରାଚୀନ ନଗରୀ କଟକରେ ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି । ଜନ୍ମାଷ୍ଟମୀରେ ଶକ୍ତିସ୍ୱରୂପିଣୀ ମା' ଦୁର୍ଗାଙ୍କର ଆବିର୍ଭାବ ବିଜୁଳି କନ୍ୟା ରୂପରେ ହୋଇଥିଲା । ତେଣୁ ସହରର ଅଧିକାଂଶ ପୂଜା କମିଟି ପକ୍ଷରୁ ଆଜି ମହାନଦୀ କୂଳରେ ମା' ଦୁର୍ଗା ଏବଂ ହରପାର୍ବତୀଙ୍କ ମୂର୍ତ୍ତି ତିଆରି ପାଇଁ ଉଠାଯାଇଛି ପବିତ୍ର ମାଟି । ତେବେ ପୂଜା ମଣ୍ଡପ ଠାରୁ ଘଣ୍ଟା ଘଣ୍ଟି ବାଜା ବଜାଇ ଆଜି ସକାଳୁ କାଠଯୋଡି ନଦୀକୂଳରେ ଦେଖିବାକୁ ମିଳିଥିଲା ଭିଡ। ସହରର ଅଧିକାଂଶ ପୂଜା ମଣ୍ଡପ ଆଜି ନଦୀ କୂଳରେ ପହଞ୍ଚି । ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ନଦୀରୁ ଉଠାଇଛନ୍ତି ପବିତ୍ର ମାଟି । ପୂଜାର କର୍ତ୍ତା ନଦୀରେ ବୁଡ ପକାଇ ଉଠାଇଛନ୍ତି ମା'ଙ୍କ ମୃଣ୍ମୟମୟୀ ମୂର୍ତ୍ତି ତିଆରି ପାଇଁ ପବିତ୍ର ମାଟି।
ଆଜିଠାରୁ ହିଁ ପ୍ରାଚୀନ ନଗରୀ କଟକରେ ଦଶହରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସହରର ପ୍ରାୟ ସବୁ ପୂଜା ମଣ୍ଡପଗୁଡିକ ମା'ଙ୍କ ପୂଜାକୁ ବେଶ ଆଡ଼ମ୍ବର ପାଳନ କରିବା ପାଇଁ ସ୍ଥିର କରିସାରିଛନ୍ତି। ତେବେ ଜନ୍ମାଷ୍ଟମୀରେ ବିଜୁଳି କନ୍ୟାଭାବେ ମା ଯ଼ୋଗମାୟା ଆବିର୍ଭାବ ହେବାର କିମ୍ବଦନ୍ତୀ ରହିଛି । କିମ୍ବଦନ୍ତୀ ଅନୁସାରେ ମା'ଙ୍କ ଆଗମନ ପାଇଁ ମାଟି ଅନୁକୂଳ କରାଯାଇ ମା'ଙ୍କ ମୂର୍ତ୍ତି ତିଆରି କରାଯାଇଥାଏ । ମା' ପ୍ରକୃତି ସ୍ବରୂପିଣୀ ହୋଇଥିବାରୁ ଏଥିପାଇଁ ପୂଜାରେ ବିଭିନ୍ନ ପ୍ରକାରର ପୂଜା କରିବାର ପରମ୍ପରା ଶାସ୍ତ୍ରରେ ରହିଛି ବୋଲି କହିଛନ୍ତି ପୂଜକ।
ଚଳିତ ବର୍ଷ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଖାନନଗର ଶିଳ୍ପାଅଞ୍ଚଳ ପୂଜା କମିଟି ମଦୂରାଇର ମୀନାଖୀ ମନ୍ଦିରର 100 ଫିଟ ଉଚ୍ଚତାର ପ୍ରତିକାତ୍ମକ ତୋରଣ କରିବା ସ୍ଥିର କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର