ଶିମିଳିପାଳ ଅଭୟାରଣ୍ୟର ଏ ହେଉଛି ପିଠାବଟା ସ୍ଥିତ ଲୁଲୁଙ୍ଗ ତନଖି ଫାଟକ । କଅଁଳିଆ ଖରା ସାଙ୍ଗକୁ କଅଁଳିଆ ପାଗରେ ଲାଇନ୍ ରେ ପ୍ରବେଶ ଅନୁମତି ପାଇଁ ଅପେକ୍ଷାରତ ଦୂର ଦୂରାନ୍ତ ରୁ ଆସିଥିବା ପର୍ଯ୍ୟଟକଙ୍କ ଗାଡି । ଏଠାକାର ସୁନ୍ଦର ସୁଉଚ୍ଚ ଜଳପ୍ରପାତ ସାଙ୍ଗକୁ ଝରଣାର କୁଳୁକୁଳୁ ଶବ୍ଦ ପର୍ଯ୍ୟଟକଙ୍କୁ ସତେ ଯେପରି ଟାଣି ଆଣୁଛି ନିଜ ପାଖକୁ । ଜିଲ୍ଲାର ୨୭୫୦ ବର୍ଗ କିଲମିଟର ବ୍ୟାପି ରହିଛି ଶିମିଳିପାଳ ଜୈବ ମଣ୍ଡଳ । ଶିମିଳିପାଳ ମଧ୍ୟରୁ ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ,ପଳପଳା ଓ ଦେଓ ନଦୀ ଭଳି୧୩ ଗୋଟି ନଦୀ ବହିଆସୁଥିବା ବେଳେ ଏଠାରେ ୪ କିସମର ଜଙ୍ଗଲ ମଧ୍ୟ ଦେଖିବାପଇଁ ମିଳିଥାଏ । ଏହା ସହ ଶିମିଳିପାଳ ଜୈବ ମଣ୍ଡଳ ମଧ୍ୟରେ ୧୦୭୬ ପ୍ରଜାତୀର ସ୍ତନ୍ୟପାୟୀ ପ୍ରାଣୀ ବାସ କରୁଥିବା ବେଳେ ୨୯ ପ୍ରଜାତିର ସରିସୃପ,୨୩୧ ପ୍ରଜାତିର ପକ୍ଷୀ ଦେଖାଯାଇଥାନ୍ତି ।
ଜଙ୍ଗଲ ମଧ୍ୟରେ ବହୁ ବଡ ବଡ ମୂଲ୍ୟବାନ ଓ ଓଷଧୀୟ ବୃକ୍ଷ ରହିଥିବା ବେଳେ ୧ଶହରୁ ବେଶୀ ପ୍ରଜାତିର ଅରକିଡ୍ ଫ୍ଲାଓ୍ବର ଗବେଷକ ମାନେ ଏଠାରେ ଆବିଷ୍କାର କରିଛନ୍ତି । ଶିମିଳିପାଳର ସୌନ୍ଦର୍ଯ୍ୟକୁ ଦ୍ବିଗୁଣୀତ କରିଥାଏ ଏଠାରେ ଥିବା ବରେହିପାଣି, ଜୋରନ୍ଦା ଓ ଭସ୍କି ଭଳି ମନଲୋଭା ଜଳପ୍ରପାତ ଏବଂ କିରିବୁରୁ ଓ ମେଘାସନି ଭଳି ଦୁଇ ବୃହତ ପର୍ବତ ଶୃଙ୍ଗ । ତେଣୁ ପର୍ଯ୍ୟଟନ ରୁତୁ ଆସିଲେ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବାପାଇଁ ଯେମିତି ଏଠାରେ ନିଜକୁ ନୁଆ ଢ଼ଙ୍ଗରେ ସଜେଇଦେଇଥାଏ ପ୍ରକୃତି ରାଣୀ । ତେଣୁ ପ୍ରକୃତୀକୁ ଭଲପାଉଥିବା ଓ ପ୍ରକୃତିକୁ ଅତି ନିକଟରୁ ଉପଭୋଗ କରିବା ସହ ବନ୍ୟପ୍ରାଣୀଙ୍କର ନିଆରା ମଜା ନେବାପାଇଁ ଦେଶ ବିଦେଶରୁ ଛୁଟିଆସନ୍ତି ଅନେକ ପର୍ଯ୍ୟଟକ ।
ଶିମିଳିପାଳ ଅଭୟାରଣ୍ୟକୁ ଦୁଇଟି ପ୍ରବେଶ ପଥ ରହିଥିବାବେଳେ ପ୍ରତିଦିନ ବାରିପଦା ପିଠାବଟା ଦେଇ ୨୫ଟି ଏବଂ ଯଶିପୁର କାଳିଆଣି ତନଖି ଫାଟକ ଦେଇ ୩୫ଟି ଗାଡି ଭିତରକୁ ଯିବାର ଅନୁମତି ରହିଥିବାବେଳେ ଆଜି ପ୍ରଥମଦିନରେ ଦୁଇ ତନଖି ଫାଟକ ଦେଇ ଶତାଧିକ ପର୍ଯ୍ୟଟକ ଶିମିଳିପାଳ ମଧ୍ୟକୁ ପ୍ରବେଶ କରିଛନ୍ତି । ଉକ୍ତ ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ସକାଳ ୬ ଟା ରୁ ୯ ଟା ପର୍ଯ୍ୟନ୍ତ ବୁକିଂ କାଉଂଟରରେ ଉପଲବ୍ଧ ରହିବ । ଶିମିଳିପାଳ ଜୈବମଣ୍ଡଳ ମଧ୍ୟରେ ଥିବା ଯାତ୍ରୀ ନିବାସ ମାନଙ୍କରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକମାନେ।www.ecotourodisha.com ଏବଂ similipal.org.in ୱେବସାଇଟ୍ ମାଧ୍ୟମରେ ଅଗ୍ରୀମ ବୁକିଂ କରିପାରିବେ । ଅଭ୍ୟୟାରଣ୍ୟ ଭିତରେ ରାତ୍ରୀ ରହଣୀ ପାଇଁ ଗୁଡ଼ୁଗୁଡ଼ିଆ, ଜାମୁଆଣି, ରାମତୀର୍ଥ ଓ କୁମାରୀ ଆଦି ସ୍ଥାନ ମାନଙ୍କରେ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯିବା ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାସହ କୁଆଁରୀଗାଁ ନିକଟରେ ବାଉଁଶରେ ର୍ନିମିତ କଟେଜରେ ରାତ୍ରିଯାପନ ଚଳିତଥର ପର୍ଯ୍ୟଟକଙ୍କୁ ଭରପୁର ଆନନ୍ଦ ଯୋଗାଇବ । ଶିମିଳିପାଳ ଭିତରେ ପ୍ଲାଷ୍ଟିକ ନିସିଦ୍ଧ ଥିବାରୁ ଶାଳପତ୍ର ଥାଳିରେ ଖାଦ୍ୟ ଖାଇବା ସହ ମାଟି ପାତ୍ରରେ ଚା ପିଇପାରିବେ ପର୍ଯ୍ୟଟକ । ଯାତାୟତ ଯାତ୍ରୀମାନେ ଟଙ୍କା ପୈଠକରି ବରେହିପାଣି ଠାରେ ସ୍ବୟଂସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ଭୋଜନ ଖାଇବାର ବ୍ୟବସ୍ଥା ମଧ୍ୟ ବିଭାଗ ପକ୍ଷରୁ କରାଇଛନ୍ତି ।
ଚଳିତବର୍ଷ ଠାରୁ ଶିମିଳିପାଳ ସଂଲଗ୍ନ ଉଦଳା ନିକଟ ଦେବକୁଣ୍ଡ ଅମ୍ବିକା ପୀଠକୁ ବିକଶିତ କରିବ ସହ ଏଠାକୁ କିଭଳି ଅଧିକ ପର୍ଯ୍ୟଟକ ଆସି ପାରିବେ ସେଥିପାଇଁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ଟି ଅଶୋକ କୁମାର ସୁଚନା ଦେଇଛନ୍ତି ।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ନୂଆ ଅନୁଭୁତି ଦେବା ପାଇଁ ଶିମିଳିପାଳ ପର୍ତ୍ତୃପକ୍ଷ ଗତ କିଛିବର୍ଷ ହେଲା ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍ ସାଇକେଲିଂ ଭଳି ନୁତନ କ୍ରୀଡାକୁ ମଧ୍ୟ ସାମିଲ କରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଶିମିପାଳକୁ ଜିରୋ ପ୍ଲାଷ୍ଟିକ୍ ଜୋନ୍ କରିବା ପାଇଁ ପର୍ଯ୍ୟଟକଙ୍କୁ କୌଣସି ପ୍ଲାଷ୍ଟିକ୍ ଉପକରଣ ତଥା ପଲିଥିନ୍ କିମ୍ବା ପାଣି ବୋତଲ ନେଇ ଭିତରକୁ ପ୍ରବେଶ କରିବା ପାଇଁ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।