ତିର୍ତ୍ତୋଲ ବ୍ଲକ ଆମ୍ବେରୀ ପଞ୍ଚାୟତ ବିଲଅରିଲୋ ଗ୍ରାମର ବାବାଜୀ ସେଠି, ପତ୍ନୀ-କାଞ୍ଚନ । ନାତି-ନାତୁଣୀଙ୍କୁ ସାଙ୍ଗରେ ନେଇ ଗାଁ ମଶାଣି ଶବ ଦାହ ଘରେ ଦୁଇ ଦିନ ହେଲା ଆଶ୍ରୟ ନେଇଥିଲେ । ବାବାଜୀଙ୍କ ପୁଅ ବୋହୁ ବୁଢା ବୁଢୀଙ୍କୁ ମାଡ ମାରି ଅକଥନୀୟ ଅତ୍ୟାଚାର କରି ଘରୁ ତଡି ଦେଇଥିଲେ । ଏପରିକି ଶାଶୁ କାଞ୍ଚନକୁ ବୋହୁ ମାଡ ମାରିବା ସହ ଶଶୁର ବାବାଜୀଙ୍କ ନାଆଁରେ ଦୁଷ୍କର୍ମ ଅଭିଯୋଗ କରିବାକୁ ପଛେଇ ନଥିଲା । ନିର୍ଯ୍ୟାତିତ ବୃଦ୍ଧ ଦମ୍ପତି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନଥିଲେ ।
ଶେଷରେ ମଶାଣିରେ ରାତି ବିତାଇବାକୁ ଏମାନେ ବାଧ୍ୟ ହୋଇଥିଲେ । ପରେ ଖବର ପାଇ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚିବା ସହିତ ତିର୍ତ୍ତୋଲ ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ନିର୍ଯ୍ୟାତିତ ପରିବାରକୁ ଉଦ୍ଧାର କରି ଗାଁରେ ଥିବା ନବନିର୍ମିତ ଅଙ୍ଗନବାଡି ଗୃହରେ ଥଇଥାନ କରାଇବା ସହ ପଞ୍ଚାୟତ ପକ୍ଷରୁ ଖାଦ୍ୟପେୟର ବନ୍ଦୋବସ୍ତ କରିଛନ୍ତି ।