ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୨୦ଟି ପ୍ରସ୍ତାବକୁ ମଂଜୂରୀ ମିଳିଛି । ଆଜି (12 ଅଗଷ୍ଟ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ବୈଠକରେ ୨୦ଟି ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ଏଥିରେ ବିଭିନ୍ନ ଆକ୍ଟରେ ସଂଶୋଧନ, ପାନୀୟ ଜଳ ପ୍ରକଳ୍ପ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ହୋଇଛି । କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟ କ୍ୟାବିନେଟରେ ଶିଳ୍ପ ନୀତି ଓ ଫ୍ୟାକ୍ଟ୍ରି ଆକ୍ଟରେ ସଂଶୋଧନ ସମ୍ପର୍କିତ ପ୍ରସ୍ତାବ ଗୁଡିକୁ ମଂଜୂରୀ ପ୍ରଦାନ କରାଯାଇଛି । କ୍ୟାବିନେଟରେ ଓଭରଟାଇମ ସମ୍ପର୍କିତ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ପୂର୍ବରୁ ୨୪୦ ଦିନ କାମ କଲା ପରେ ଛୁଟି ନେଇପାରୁଥିଲେ କିନ୍ତୁ ଏହ ଏବେ ୧୮୦ ଦିନକୁ ହ୍ରାସ କରାଯାଇଛି । ମହିଳା ମାନଙ୍କୁ ରାତି ଡ୍ୟୁଟି ପାଇଁ ସର୍ତମୂଳକ ଅନୁମତି ମିଳି ପାରିବ ବୋଲି କ୍ୟାବିନେଟରେ ନିଷ୍ପତି ଗ୍ରହଣ କରା ଯାଇଛି ।
ସେହିପରି କ୍ୟାବିନେଟ୍ ବୈଠକରେ ରାଜ୍ୟର ୮ଟି ବ୍ଲକରେ ୮୨୭ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ମଂଜରୀ ମିଳିଛି । ମାଲକାନଗିରି ଜିଲ୍ଲା କାଲିମେଳା, ବୈପାରୀଗୁଡ଼ା, ମୟୂରଭଂଜ ଜିଲ୍ଲା ସାରସକଣା, ଗୋପବନ୍ଧୁନଗର, ବାଲେଶ୍ୱର ଜିଲ୍ଲା ଭୋଗରାଇ, ରାୟଗଡ଼ା ଜିଲ୍ଲା କାଶୀନଗର, ଗୁମ୍ମା ଓ କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ । ଏହି ପ୍ରକଳ୍ପଗୁଡ଼ିକରେ ୮୨୭ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏଥିରୁ ୯୧୧ଟି ଗାଁ ଉପକୃତ ହେବେ ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ । ଏଥିଲାଗି ନିର୍ମଳ ଯୋଜନାକୁ ପରିବର୍ଦ୍ଧିତ କରାଯାଇଛି । ଏହି ଯୋଜନା ମାଧ୍ୟମରେ ହସ୍ପିଟାଲଗୁଡ଼ିକ ଅଧିକ ପରିଷ୍କାରପରିଚ୍ଛନ୍ନ ହେବ । ନିର୍ମଳ ପ୍ଲସ ଯୋଜନାରେ ୪୫ଟି ବଡ଼ ନୂଆ ହସ୍ପିଟାଲ ଯୋଡ଼ି ହୋଇଛି । ନିର୍ମଳ ପ୍ଲସ ପ୍ଲସ ଯୋଜନାରେ ୭ଟି ହସ୍ପିଟାଲ ସାମିଲ୍ ହେବ । କଳକାରଖାନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ପାଇଁ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ସେହିଭଳି ଜୁଡ଼ିସିଆଲ କୋର୍ଟରେ ଷ୍ଟାମ୍ପ ପାଇଁ ଯେଉଁ ଫି ଅଛି, ତାହା ଇ-ମାଧ୍ୟମରେ ମଂଜୁରି ମିଳିଛି ।
ଗ୍ରୁପ ସି ପରୀକ୍ଷା ପାଇଁ ଆଉ ସାକ୍ଷାତକାର ହେବ ନାହିଁ ବୋଲି କ୍ୟାବିନେଟରେ ନିଷ୍ପତି ଗ୍ରହଣ କରା ଯାଇଛି । ପୁରୀ ଶ୍ରୀମନ୍ଦିର ସୌନ୍ଦ ର୍ଯ୍ୟୀକରଣ ଜମି ଯୋଗାଇବାକୁ ନିଷ୍ପତି ଗ୍ରହଣ କରା ଯାଇଛି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବରଗଡ଼ ଜିଲ୍ଲା ବିଜେପୁର ଅଂଚଳରେ ଗଙ୍ଗାଧର ମେହେର ଲିଫ୍ଟ କେନାଲ କରିବା ପାଇଁ ପୂର୍ବରୁ ଯେଉଁ ନିଷ୍ପତ୍ତି ହୋଇଥିଲା, ତାହାକୁ ମଂଜୁରୀ ମିଳିଛି । ଏହି ପ୍ରକଳ୍ପରେ ୨୫ ହଜାର ୬୦୦ ହେକ୍ଟର ଜମିକୁ ପାଣି ମିଳିବ । ୧୨୪ଟି ଗାଁର ଚାଷୀ ଉପକୃତ ହେବେ । ଏଥି ପାଇଁ ୧୧୩୮.୬୩ କୋଟି ଟଙ୍କା ଖର୍ଚ୍ଚ ହେବ ।
ଏଥିସହ ମହାମାରୀ ଆଇନରେ ସଂଶୋଧନ ଆଣିବା ପାଇଁ ପ୍ରସ୍ତାବକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ମହାମାରୀ ଆଇନରେ ସଂଶୋଧନ କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ପାଇଁ ବ୍ୟବସ୍ଥା କରାଯିବ । ଏବେ ମହାମାରୀ ଆଇନ ଅନୁସାରେ କଟକଣା ନମାନିବା, ମୁହଁରେ ମାସ୍କ ନପିନ୍ଧିବା ଓ ବାହାରେ ଛେପ ପକାଇବା ଭଳି ଆଇନ ଉଲଘଂନ ପାଇଁ ୧ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯାଉଛି । ଏହି ଆଇନରେ ସଂଶୋଧନ କରି ଜୋରିମାନା ବ୍ୟବସ୍ଥାକୁ ବଢ଼ାଇ ପାରନ୍ତି ସରକାର ।
