ଅର୍ଗସ ବ୍ୟୁରୋ:ଝାଡ଼ଖଣ୍ଡର ଶଢେଇକଳାରେ ଅଛନ୍ତି ୫୦ ପ୍ରତିଶତରୁ ଅଧିକ ଓଡ଼ିଆ। ସେଥିପାଇଁ ଝାଡଖଣ୍ଡ ସରକାର ଓଡିଆକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦେଇଛନ୍ତି। ହେଲେ ଏ ମାନ୍ୟତା କେବଳ କାଗଜ କଲମରେ । ଓଡ଼ିଆ ଭାଷାକୁ ସ୍କୁଲରୁ ମୂଳପୋଛ କରିବାକୁ ଚାଲିଛି ଷଡଯନ୍ତ୍ର। ଆଉ ଏ ଷଡଯନ୍ତ୍ରକୁ ସଫଳ କରିବାକୁ ଓଡ଼ିଶା ସରକାର କରୁଛନ୍ତି ସହଯୋଗ। ଯାହାର ପ୍ରମାଣ ହେଇଛି ଓଡ଼ିଆ ପଢ଼ାଉଥିବା ଶିକ୍ଷକଙ୍କୁ ୨ ବର୍ଷ ହେବ ପାଉଣା ଦେଉନାହାନ୍ତି ଆମ ସରକାର। ଉତ୍କଳ ସମ୍ମିଳନୀ ମାଧ୍ୟମରେ ଏ ଟଙ୍କା ଦେବାର ବ୍ୟବସ୍ଥା ଥିଲେ ବି ଦିଆଯାଉନି। ସୀମାନ୍ତରେ ସଙ୍କଟରେ ଓଡ଼ିଆ ଭାଷା। ସଙ୍କଟରେ ଓଡିଆଙ୍କ ପରିଚୟ। ଝାଡଖଣ୍ଡର ସୋରେନ ସରକାର ଚଳିତ ବର୍ଷ ଏକାଡେମିକ କାଉନସିଲ ଦ୍ବାରା ଶିକ୍ଷକ ପ୍ରଶିକ୍ଷଣ ପାଇଁ ମନୋନୟନ ପରୀକ୍ଷାରୁ ଓଡ଼ିଆ ଭାଷାକୁ ବାଦ ଦେବାର ଦୁଃଖଠୁ ବଳି ଯାଇଛି ଷଢେଇକଳା ଓ ଖରସୁଆଁରେ ଓଡ଼ିଆ ଭାଷାକୁ ଓଡ଼ିଶା ସରକାରଙ୍କ ଅଣଦେଖା। ସଢେଇ କଳାରେ ଓଡ଼ିଆ ସ୍କୁଲ ଅଛି ସତ ହେଲେ ନାହାଁନ୍ତି ଓଡ଼ିଆ ଶିକ୍ଷକ। ଝାଡଖଣ୍ଡର ଷଢେ଼ଇକଳାର କଳାବାଡିଆ ରେ ରହୁଛନ୍ତି ୨୫୦ ଓଡ଼ିଆ ପରିବାର। ଓଡ଼ିଆ ଭାଷା ଓ ସଂସ୍କୃତିକୁ ବିଚ୍ଛିନ୍ନାଞ୍ଚଳରେ ବଞ୍ଚାଇ ରଖିବାକୁ ଏମାନେ ପ୍ରାୟାସ ଜାରି ରଖିଛନ୍ତି। ଓଡ଼ିଆ ପର୍ବ ପର୍ବାଣୀ ଓ ଭଜନ କୀର୍ତ୍ତନର ଆୟୋଜନ ବି କରୁଛନ୍ତି।
ଓଡ଼ିଆ ମାନେ ବସବାସ କରୁଥିବା ବାହାର ରାଜ୍ୟରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ବିଧାନସଭାର ସଂଖ୍ୟାଲଘୁ ଭାଷା ଗୃହକମିଟିର ପ୍ରଥମ ବୈଠକ ଗତ ଜାନୁଆରି ୩ ତାରିଖରେ ହୋଇଥିଲା। ସୀମାନ୍ତ ସୀମାନ୍ତ ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଓଡ଼ିଆ ଭାଷା ଓ ସଂସ୍କୃତିର କେମିତି ସୁରକ୍ଷା ହେବ ସେଥିପାଇଁ ଗଣଶିକ୍ଷା ବିଭାଗ ଓ ସଂସ୍କୃତି ବିଭାଗ ପ୍ରୟାସ କରିବାକୁ ନିଷ୍ପତ୍ତି ହୋଇଛି। ବଡ ପ୍ରଶ୍ନ, ଏସବୁ ଅଂଚଳରେ ଓଡ଼ିଆ ଭାଷାର ତଦାରଖ ପାଇଁ କେବେ ଯିବ ବିଧାନସଭା ଗୃହ କମିଟି ? 2019 ନିର୍ବାଚନୀ ଇସ୍ତାହାରରେ ବିଜେଡି ପ୍ରତିଶ୍ରୁତି ଦେଇଥିଲା ପ୍ରଦେଶ ବାହାରେ ବସବାସ କରୁଥିବା ଓଡ଼ିଆଙ୍କ ପାଇଁ ଓଡ଼ିଆ ଭାଷା ଶିକ୍ଷା ଯୋଜନା ପ୍ରବର୍ତ୍ତନ କରାଯିବ। ହେଲେ କୁଆଡ଼େ ଗଲା ସେ ଯୋଜନା ?
ଅଧିକ ପଢନ୍ତୁ ଓଡିଶା ଖବର