କାଲିମେଳା ବ୍ଲକର ବିଭିନ୍ନ ସ୍ଥାନରେ ଖୁଲମଖୁଲା ବିକ୍ରି ଚାଲିଥିଲେ ମଧ୍ୟ ବନ ବିଭାଗ ନେଉନି ପଦକ୍ଷେପ । ଏହି ବିକ୍ରିରେ ଆନ୍ତଃରାଜ୍ୟ ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି । ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟର ବିଭିନ୍ନ ସ୍ଥାନରୁ କାଳିମେଳାକୁ ଏହି କଇଁଛ ଆସୁଛି । ଆନ୍ଧ୍ରରୁ ସାବେରୀ ନଦୀ ପାର ହୋଇ ପଡିଆ ବ୍ଲକକୁ ଓ ସିଲେରୁ ନଦୀ ପାର ହୋଇ କାଲିମେଳା ବ୍ଲକର ବିଭିନ୍ନ ସ୍ଥାନକୁ ଏହି କଇଁଛ ଆସୁଛି । ବିଶେଷକରି ମୋଟୁ ନଦୀଘାଟ ଓ ପୋଲୁର ନଦୀଘାଟ ଦେଇ ଏହି କଇଁଛ କାଲିମେଳା ବ୍ଲକକୁ ଆସୁଛି ।
ଅତି ସତର୍କତାର ସହିତ ବେପାରୀମାନେ ବିଭିନ୍ନ ଗାଡିରେ ଏହି କଇଁଛକୁ ଆଣି ଗୋଟିଏ ସ୍ଥାନରେ ରଖି ଖୁଚୁରାରେ ବିକ୍ରୀ କରୁଛନ୍ତି । ନାଲାଗୁଣ୍ଡି ପଂଚାୟତର ଏକ ଗାଁରେ ଏହି ବ୍ୟବସାୟ ଚାଲିଛି । ଗତକାଲି ବଜାରରେ ଜଣେ ବ୍ୟବସାୟୀ ଖୁଲମଖୁଲା ଏହି କଇଁଛ ବେପାର କରୁଥିବାର ଦେଖିବାକୁ ମିଳିଥିଲା । ସେ ଏମଭି-୬୫ ଗ୍ରାମର ଜଣେ ଚୋରା କଇଁଛ ବେପାରୀଠାରୁ ଏହି କଇଁଛ ଆଣି ବେପାର କରୁଥିବା ଜଣାଇଛି । ସ୍ଥାନୀୟ ଅଞ୍ଚଳରେ କଇଁଛ ମାଂସର ଚାହିଦା ରହିଛି । ଦୈନିକ ଶହ ଶହ କଇଁଛ କାଲିମେଳାକୁ ଆସୁଛି । ତେଣୁ କଇଁଛ ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଛି ।