ଅଧିକ ପଢନ୍ତୁ : ଗଣତନ୍ତ୍ରରେ ମର୍ଯ୍ୟାଦା ଓ ପରମ୍ପରାର ନିଜସ୍ୱ ସ୍ଥାନ ଅଛି, ଏହାର ଲକ୍ଷଣରେଖା ଭିତରେ ସମସ୍ତେ ରହିବା ଉଚିତ୍
ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବଶକ୍ତି ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ଅକ୍ଟୋବର ମାସ ୨୨ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ୧୦ ଲକ୍ଷ କର୍ମଚାରୀଙ୍କ ପାଇଁ ନିଯୁକ୍ତି ଅଭିଯାନ ଦିଗରେ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ସେବେଠାରୁ ମିଶନ ମୋଡରେ ପ୍ରତି ମାସରେ ଅନେକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉଛି । ଆଜି ପ୍ରଧାନମନ୍ତ୍ରୀ ଅଷ୍ଟମ ପର୍ଯ୍ୟାୟ ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି । ଏହି ଉପଲବ୍ଧି କେବଳ ନିଯୁକ୍ତି ପତ୍ର ଗ୍ରହଣ କରିଥିବା ଯୁବବର୍ଗ ନୁହେଁ ବରଂ ସେମାନଙ୍କ ପରିବାର, ଜିଲ୍ଲା, ରାଜ୍ୟ ଓ ଦେଶର ଉପଲବ୍ଧି । ସେହିପରି ଦେଶରେ ୧ ଲକ୍ଷ ଷ୍ଟାର୍ଟଅପ୍ ଅଛି । ୟୁନିକର୍ଣ୍ଣର ସଂଖ୍ୟା ବଢୁଛି । ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ଦେଶ ନୂଆ ଉଚ୍ଚତାକୁ ଯାଉଛି । ବିଶ୍ୱରେ ମହାକାଶ କ୍ଷେତ୍ରରେ ଇତିହାସ ରଚୁଛି । ଚନ୍ଦ୍ରାୟାନର ସଫଳ ଉତକ୍ଷେପଣକୁ ସମଗ୍ର ବିଶ୍ୱ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଉଛି । ବିଶେଷ ଭାବରେ ଏହି ଅଭିଯାନରେ ଓଡ଼ିଆ ବୈଜ୍ଞାନିକ, ଟେକ୍ନିସିଆନ ଓ ଅନ୍ୟ କର୍ମଚାରୀଙ୍କ ଯୋଗଦାନ ଆମ ସମସ୍ତଙ୍କୁ ଗର୍ବିତ କରିଛି । ଭାରତ ସରକାରଙ୍କ ସିଟିଟିସି, ଭୁବନେଶ୍ୱର ଚନ୍ଦ୍ରାୟାନ-୩ ପାଇଁ ଉପକରଣ ଯୋଗାଇବା ଖୁସିର ବିଷୟ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତବର୍ଷରେ ଜାତୀୟ ଶିକ୍ଷା ନୀତି ଲାଗୁ କରାଯାଇ ନୂଆ ନୂଆ ଅଭିନବ ପଦକ୍ଷେପମାନ ନିଆଯାଉଛି । ଜାତୀୟ ପାଠ୍ୟକ୍ରମ ରୂପରେଖ ବା ଏନସିଏଫରେ କାର୍ଯ୍ୟର ଅନୁଭବକୁ କ୍ରେଡିଟରେ ରୂପାନ୍ତର କରିବା ପାଇଁ ଯୋଜନା ହୋଇଛି । ଏହା ନୂଆ ଶିକ୍ଷା ନୀତିରେ ଏକ ବଡ଼ ପଦକ୍ଷେପ । ସାମ୍ପ୍ରତିକ ସମୟରେ ଯୁବକ ଯୁବତୀମାନଙ୍କୁ ନିଜ କ୍ୟାରିୟରରେ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍-ସ୍କିଲିଂ କରିବାକୁ ପଡିବ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ‘ଅମୃତକାଳ’ରେ ଆମର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ମୋ ମାଟି, ମୋ ଦେଶ ଅଭିଯାନ ଆରମ୍ଭ କରିଛନ୍ତି । ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ୧୭ ତାରିଖରେ ଜୟୀ ରାଜଗୁରୁଙ୍କ ଜନ୍ମମାଟି ପୁରୀ ଜିଲ୍ଲା ସ୍ଥିତ ବୀରହରେକୃଷ୍ଣପୁର ଗ୍ରାମରେ ଏହି ଅଭିଯାନରେ ସାମିଲ ହୋଇଥିଲେ । ଗତକାଲି ମଧ୍ୟ ବୀର ସାରଙ୍ଗଧର ଦାସଙ୍କ ଜନ୍ମଭୂମି ଢେଙ୍କାନାଳର ପବିତ୍ର ହରେକୃଷ୍ଣପୁରରେ ଏହି ମୋ ମାଟି ମୋ ଦେଶରେ କାର୍ଯ୍ୟକ୍ରମମାନ ଆୟୋଜନ ହୋଇଥିଲା । ଆଜି ଦେଶ କୃତଜ୍ଞ, ସଂଗ୍ରାମୀ ଓ ସୈନିକଙ୍କ ପରିଶ୍ରମ ଓ ତ୍ୟାଗ କାରଣରୁ ଦେଶ ସୁରକ୍ଷିତ ହୋଇଛି । ମୋ ମାଟି ମୋ ଦେଶ ଅଭିଯାନକୁ ସଫଳ କରିବା ପାଇଁ ଶ୍ରୀ ପ୍ରଧାନ ଯୁବ ସମାଜକୁ ଆହ୍ୱାନ କରିଛନ୍ତି ।