ଅଧିକ ପଢନ୍ତୁ : ନଦୀରେ ଗାଧୋଉଥିବାବେଳେ ବାଲି ମାଫିଆ ମାରିଲେ କମେଣ୍ଟ
ସାରା ରାଜ୍ୟରୁ ଆସୁଛି ଏଭଳି ବାଲି ଲୁଟର ସାଂଘାତିକ ଚିତ୍ର। ଆଉ ସବୁଠି ଜାଣିଶୁଣି ଚୁପ୍ ପ୍ରଶାସନ। ଯେଉଁଠି ପ୍ରଶାସନିକ ଅଧିକାରୀ ମୁହଁ ଖୋଲୁଛନ୍ତି। ହେଉଛି ମରଣାନ୍ତକ ଆକ୍ରମଣ। କିଛି ଦିନ ପୂର୍ବେ ଢେଙ୍କାନାଳ କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ମଦନ ମୋହନ ଜେନାଙ୍କ ଉପରେ ହୋଇଥିଲେ ମରଣାନ୍ତକ ଆକ୍ରମଣ। ଲହୁଲୁହାଣ କରି ଦେଇଥିଲେ ବାଲିମାଫିଆ। ମୋବାଇଲ ଛଡାଇ ଫେରାର ହୋଇଗଲେ। ବାଲିମାଫିଆଙ୍କ ଗୁଣ୍ଡାଗର୍ଦ୍ଦିର ଏହି ଗୋଟିଏ ଦୁଇଟି ଘଟଣା ନୁହେଁ, ବାଲେଶ୍ବର ନିଳଗିରିରେ ତହସିଲଦାରଙ୍କ ଉପରେ ଆକ୍ରମଣ କରି ତାଙ୍କ ବାଇକ ଛଡାଇ ନେଇଥିଲେ ମାଫିଆ। ସେହିଭଳି କିଛିଦିନ ତଳେ ବଲାଙ୍ଗିର କଣ୍ଟାବାଞ୍ଝିରେ ଆଡିସନାଲ୍ ତହସିଲଦାରଙ୍କ ଉପରେ ହୋଇଥିଲା ଆକ୍ରମଣ। ସାରା ରାଜ୍ୟରେ ବାଲି ମାଫିଆଙ୍କ ରାଜ୍। ଶାସକ ଦଳର ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ଛତ୍ରଛାୟାରେ ଧଳାହୀରା କାରବାରର ଡନ୍ । ଏପରିକି ଅଭିଯୋଗ ହୋଇଛି କେନ୍ଦ୍ରାପଡା ଆଳିରେ ମେସିନ ଲଗାଇ ଖରସ୍ରୋତା ବାଲି ଶୋଷିନେଉଛନ୍ତି ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। କୋଟି କୋଟି ଟଙ୍କାର ବାଲି ଚୋରି କରି ବନାଉଛନ୍ତି ଆଲିସାନ୍ ବଙ୍ଗଳା। ଖବର ପରିବେଷଣ କରିବାରୁ ଅର୍ଗସ ପ୍ରତିନିଧିଙ୍କ ଉପରେ ହୋଇଥିଲା ଆକ୍ରମଣ। ଯାଜପୁରରେ ବାଲିଖାଦାନ ବି ମାଫିଆଙ୍କ କବଜାରେ । ବୈତରଣୀ , ଖରସ୍ରୋତା ଆଉ ବୁଢା ନଦୀରୁ ହଜାର ହଜାର ଟ୍ରିପ ବାଲି ଡ୍ରେଜିଂ ମେସିନ ସାହାଯ୍ୟରେ ଉତ୍ତୋଳନ କରାଯାଇ ଚୋରା ଚାଲାଣ କରାଯାଉଛି । ବିବାଦ ଘେରରେ ପାୱାରଫୁଲ୍ ବିଧାୟକ ପ୍ରଣବ ବଳବନ୍ତରାୟ । ବାଲି ଚୋରାଚାଲାଣକୁ ନେଇ ମୁଣ୍ଡ ବି ଗଡୁଛି । ରାଜ୍ୟ ସାରା ଏମିତି ମାଳ ମାଳ ଅଭିଯୋଗ ସତ୍ତ୍ବେ ହେଉନି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ। ବଡ ପ୍ରଶ୍ନ, କିଏ ବାନ୍ଧିଛି ସରକାରଙ୍କ ହାତ ? କାହିଁକି ଚୁପ୍ ରାଜସ୍ବ ମନ୍ତ୍ରୀ ? ଧଳାହୀରା ଲୁଟେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ?