ଅର୍ଗସ ବ୍ୟୁରୋ: ଏସୀୟ କ୍ରୀଡ଼ାରେ ଭାରତର ସ୍ବର୍ଣ୍ଣ ବର୍ଷା । ଆଜି ଗୋଟିଏ ଦିନରେ 2 ସ୍ବର୍ଣ୍ଣ ପଦକ ସହ ମୋଟ 8ଟି ପଦକ ହାସଲ କରିଛି ଭାରତ । ଏହାସହିତ ଚୀନ ହାଙ୍ଗଝୌରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା 22କୁ ବୃଦ୍ଧି ପାଇଛି ।
ଏସୀୟ କ୍ରୀଡ଼ାରେ ଭାରତ ଭାଗ୍ୟରେ ବର୍ଷୁଛି ସଫଳତାର ସ୍ବର୍ଣ୍ଣ । ଚୀନର ହାଙ୍ଗଝୌରେ ଆୟୋଜିତ 19ତମ ଏସିଆନ୍ ଗେମ୍ସରେ ମାତ୍ର 4 ଦିନ ମଧ୍ୟରେ ଭାରତକୁ ମିଳିଛି ରେକର୍ଡ ସଂଖ୍ୟକ ସ୍ୱର୍ଣ୍ଣ ପଦକ। ଚତୁର୍ଥ ଦିନରେ ଆଜି ମହିଳା 25 ମିଟର ପିସ୍ତଲ ଟିମ୍ ଇଭେଣ୍ଟ ଫାଇନାଲରେରେ ବିଜୟୀ ହୋଇ ଗୋଲ୍ଡ ମେଡାଲ୍ ହାସଲ କରିଛନ୍ତି ମନୁ ଭାକର, ଇଶା ସିଂହ, ରିଦନ ସାଙ୍ଗବାନ । ଆୟୋଜକ ଟିମ୍ ଚୀନକୁ ହରାଇ ଭାରତକୁ ଏହି ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ଭାରତୀୟ ମହିଳା ପ୍ରତିଯୋଗୀ । ସେହିପରି 50 ମିଟର ରାଇଫଲ 3ପି ଟିମ୍ କୁ ମିଳିଛି ରୌପ୍ୟ ପଦକ । ସୁଟିଂରେ ସାମ୍ରା କୌର ସ୍ୱର୍ଣ୍ଣ ପଦକ ଜିତିବା ସହିତ ଭାରତର ଗୋଲ୍ଡ ମେଡାଲ ସଂଖ୍ୟା 5କୁ ବୃଦ୍ଧି ପାଇଛି । ସମାନ ଇଭେଣ୍ଟରେ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି ଆଶି ଚୌକଶି।
ବର୍ତ୍ତମାନ ସୁଦ୍ଧା ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା 22 ରହିଛି । ଏଥିସହ ପଦକ ତାଲିକାର ସପ୍ତମରେ ରହିଛି ଭାରତ। ବର୍ତ୍ତମାନ ସୁଦ୍ଧା ଦେଶକୁ 5 ସ୍ବର୍ଣ୍ଣ, 7 ରୌପ୍ୟ ଓ 10 କାଂସ୍ୟ ପଦକ ମିଳିଛି । ସୁଟିଂରେ ଭାରତକୁ ସର୍ବାଧିକ 8ଟି ପଦକ ମିଳିଛି ।
ଚଳିତ ଏସୀୟ କ୍ରୀଡାରେ ଭାରତ ଗୋଟିଏ ପରେ ଗୋଟିଏ ରେକର୍ଡ ହାସଲ କରିବାରେ ସମର୍ଥ ହେଉଛି । ପ୍ରତିଯୋଗିତାରେ ମୋଟ 655 ଜଣ ଭାରତୀୟ କ୍ରୀଡ଼ାବିତ ସାମିଲ ହୋଇଛନ୍ତି । ପୂର୍ବରୁ 18ତମ ଏସିଆନ ଗେମ୍ସରେ ଭାରତ ମୋଟ 70ଟି ମେଡାଲ ହାସଲ କରିଥିବାବେଳେ ଚଳିତ ପ୍ରତିଯୋଗିତାରେ ମେଡାଲ ସଂଖ୍ୟା ଶତକ ଅତିକ୍ରମ କରିବା ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର