ମୌସୁମୀ ଛୁଇଁବା ପରେ ରାଜ୍ୟରେ ସେପରି ବଡ଼ ଧରଣର ବର୍ଷା ହୋଇ ନାହିଁ । ସ୍ବାଭାବିକ ବର୍ଷାଠାରୁ ୩୯ ପ୍ରତିଶତ କମ ବର୍ଷା ରହିଛି । ଯାହା ଚାଷ କାର୍ଯ୍ୟକୁ ଗୁରୁତର ଭାବେ ପ୍ରଭାବିତ କରିଛି । ବର୍ଷା ହେଉ ନଥିବାରୁ ରାଜ୍ୟରେ କୃଷି କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ । ଗତ କିଛି ବର୍ଷ ହେବ ମୌସୁମୀ ଆସିବାରେ ଓ ଯିବାରେ ବିଳମ୍ବ ହେଉଛି । ତେଣୁ ଚାଷକାର୍ଯ୍ୟରେ ଅହେତୁକ ବିଳମ୍ବ ଘଟୁଛି ।
ଲଘୁଚାପ ଦ୍ବାରା ମୌସୁମୀ ଅଧିକ ସକ୍ରିୟ ହୁଏ ଓ ରାଜ୍ୟକୁ ଭଲ ପରିମାଣରେ ବର୍ଷା ମିଳିଥାଏ । ମୌସୁମୀ କାଳରେ ପାଖାପାଖି ଆଠଟି ଲଘୁଚାପ ହେବା ସହ ଚାରୋଟି ଅବପାତ କିମ୍ବା ଗଭୀର ଅବପାତ ହୋଇଥାଏ । ଗୋଟିଏ ଶକ୍ତିଶାଳୀ ଲଘୁଚାପ ୬୦ ରୁ ୭୦ ମିଲିମିଟର ବର୍ଷା କରାଇ ଥାଏ । କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜୁନ ସରିବାକୁ ବସିଥିଲେ ମଧ୍ୟ ଲଘୁଚାପର ଦେଖା ନାହିଁ । ଶେଷଥର ୨୦୧୦, ଜୁନରେ ଲଘୁଚାପ ହୋଇ ନଥିଲା । ଜୁନ ମାସରେ ୨୧୭.୭ ମିଲିମିଟରର ବର୍ଷା ହେଲା । ଏହା ସ୍ବାଭାବିକ ବର୍ଷାରେ ଗଣା ଯାଏ । କିନ୍ତୁ ଚଳିତ ବର୍ଷ ମାତ୍ର ୧୨୧ ମିଲିମିଟରର ବର୍ଷା ରେକର୍ଡ କରାଯାଇଛି ।
ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞନିକ ଉମାଶଙ୍କର ଦାସ କହିଛନ୍ତି, ରାଜ୍ୟରେ ଲଘୁଚାପ ପାଇଁ ଅଧିକ ବର୍ଷା ହୋଇଥାଏ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ପାଇଁ ଅଧିକା ବର୍ଷା ହୁଏ । କିନ୍ତୁ ଚଳିତ ବର୍ଷ ବିଳମ୍ବରେ ମୌସୁମୀ ଆସିବା ସହ ଜୁନ ୧୩ ଯାଏଁ ଖରା ପାଗ ରହିଥିଲା । ଏହା ପ୍ରଭାବରେ ବର୍ଷା କମିବା ସହ ନିଅଣ୍ଟିଆ ରହିଛି । ମୌସୁମୀ ପ୍ରବାହ ଦୁର୍ବଳ ହେବା ଦ୍ବାରା ଟ୍ରଫଲାଇନ ବଙ୍ଗୋପସାଗର ଯାଏଁ ଆସି ପାରୁନାହିଁ । ଯାହା ଫଳରେ ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ ହୋଇ ପାରୁନାହିଁ ବୋଲି ଶ୍ରୀ ଦାସ କହିଛନ୍ତି ।
ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଢେଙ୍କାନାଳରେ ୧୦୦ ମିମି ବର୍ଷା ରେକର୍ଡ କରା ଯାଇଥିବା ବେଳେ ପାରଳାଖେମୁଣ୍ତିରେ ୫୦ ମିମି ରେକର୍ଡ ହୋଇଛି । ସେହିପରି ଖୋର୍ଦ୍ଧାରେ ୨୨, ଯାଜପୁରରେ ୨୦ ଓ ଚାନ୍ଦବାଲିରେ ୩୦ ମିମିର ବର୍ଷା ରେକର୍ଡ ହୋଇଛି । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଆସନ୍ତାକାଲି କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।