ବର୍ତ୍ତମାନ ସଂଖ୍ୟା ଦେଖିଲେ ଗତବର୍ଷ ତୁଳନାରେ ଏବେ ତାର ଅଧାରେ ରହିଛି । ଆମେ ଏବେ ପଙ୍କ ଉପରେ ଛିଡା ହୋଇଛୁ । ତେଣୁ କିଛିଟା କଟକଣା ରହିବା ଦରକାର । ସମ୍ପୂର୍ଣ୍ଣ କୋହଳ ନ କରିବା ଉଚିତ । ବିଶେଷ ଭାବେ ସହରାଞ୍ଚଳ ଯଥା କଟକ, ଭୁବନେଶ୍ୱର, ପୁରୀ, ବାଲେଶ୍ଵର, ବ୍ରହ୍ମପୁର, ରାଉରକେଲା ଭଳି ସହରରେ କିଛି ଟା କଟକଣା ବଳବତ୍ତର ରହିବା ଦରକାର ।
ଯେଉଁ ସ୍ଥାନରେ ଦୁଇ ପ୍ରତିଶତ ତଳେ ସଂକ୍ରମଣ ହାର ସେଠି ଦୋକାନ ବଜାର 6 ଟା ପର୍ଯ୍ୟନ୍ତ ଖୋଲାଯାଉ । ମଲ ଖୋଲା ନ ଯାଉ । ସପ୍ତାହନ୍ତ ସଟଡ଼ାଉନ ଓ ନାଇଟ କର୍ଫ୍ୟୁ ଜାରି ରହୁ । ମାଛ ମାର୍କେଟ ଓ ଛକ ବଜାରରେ ଲୋକେ ଗହଳି କରୁଛନ୍ତି । ତେଣୁ କଟକଣା କୋହଳ କରିଦେଲେ ଲୋକେ ଅଧିକ ଅମାନିଆ ହେବେ । ବର୍ତ୍ତମାନ କେରଳ ଓ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ସେଠି ସରକାର ଲକଡ଼ାଉନକୁ ଫେରିବାକୁ ଚାହିଁଲେଣି । ତେଣୁ ଏଥିରୁ ଆମେ କିଛି ଶିଖିବାର ଆବଶ୍ୟକ ଅଛି । ଯାହାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ କଟକଣା କୋହଳ ନ କରାଯାଉ ।
ଆମ ଦେଶର ପରିବେଶରେ ପିଲାଙ୍କୁ ପାଠ ପଢାଈବା ପାଇଁ ସୁବିଧା କରିବା ଦରକାର । ଭୁବନେଶ୍ୱରରେ ନେଟୱାର୍କ ଅସୁବିଧା ରହୁଛି । ତେଣୁ ଅନଲାଇନ ଶିକ୍ଷା ଅସମ୍ଭବ । ଯଦି ସଂସଦ ଚାଲିବା ପୂର୍ବରୁ ଆର ଟି ପିସିଆର ଟେଷ୍ଟିଂ ହେଉଛି ତେବେ ସ୍କୁଲ ଓ କଲେଜ ଖୋଲିବା ପୂର୍ବରୁ ଉଭୟ ଶିକ୍ଷକ ଓ ପିଲାମାନଙ୍କର ଆର ଟି ପିସିଆର ଟେଷ୍ଟ କରାଯାଉ । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କିଛି ଦୃଢ ନିଷ୍ପତି ନିଆଯାଉ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଅଶୋକ ମହାପାତ୍ର ।