ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ସେବା ସମବାୟ ସମିତିର ଦୃଶ୍ୟ। ସବୁଠି ଖୋଲାମେଲା, ବୁଲା ଗାଈ ଗୋରୁଙ୍କ ଅବାଧ ପ୍ରବେଶ। ଧାନ ରଖି ବାଡ଼ି ଧରି ବସିବେ ଚାଷୀ। ଚାଷୀଙ୍କ ପାଇଁ ସାମାନ୍ୟ ପିଇବା ପାଣିର ବ୍ୟବସ୍ଥା ନାହିଁ, ନା ଅଛି ବସିବା ପାଇଁ ସ୍ଥାନ। ସବୁ ଧାନ ମଣ୍ଡିରେ ସିସିଟିଭି ଲଗାଯିବାକୁ ସରକାର ଘୋଷଣା କରିଥିଲେ। ଏଠି ତାହା ବି ନାହିଁ। କେବଳ ଏଠି ନୁହେଁ ଜିଲ୍ଲାର ପ୍ରାୟ ସମସ୍ତ ଧାନ କିଣା କେନ୍ଦ୍ରରେ ସମାନ ଅବସ୍ଥା।
ସେହିପରି ନୂଆପଡ଼ା ଜିଲ୍ଲାରେ ମଣ୍ଡିର ଦୂରବସ୍ଥା। ଜିଲ୍ଲାର 26 ଗୋଟି ପ୍ୟାକ୍ସର 61 ମଣ୍ଡି ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର 15ଟି ମଣ୍ଡିରେ ଗତ ଖରିଫ ଋତୁରେ 41607 ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ପ୍ରାୟ 20 ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଧାନ କିଣାରେ ଅନିୟମିତତା ନେଇ ଚାଷୀ ଅଭିଯୋଗ କରିଥିଲେ। ସିସିଟିଭି କ୍ୟାମେରା ଲାଗିଲେ ବ୍ୟବସ୍ଥା ସୁଧୁରିବ ବୋଲି ଆଶା କରାଯାଉଥିଲା।
କିନ୍ତୁ ବିଧାନସଭାର ଷ୍ଟାଣ୍ଡିଂ କମିଟିର ନିର୍ଦ୍ଦେଶ ସତ୍ବେ ଜିଲ୍ଲାର କୌଣସି ମଣ୍ଡିରେ ଲାଗିନାହି ସିସିଟିଭି କ୍ୟାମେରା । ଫଳରେ ଜିଲ୍ଲାର ଧାନ କିଣାରେ ସ୍ବଚ୍ଛତାକୁ ନେଇ ଉଠୁଛି ପ୍ରଶ୍ନ । ସମ୍ବଲପୁର ଜିଲ୍ଲାରୁ ବି ସାମ୍ନାକୁ ଆସିଛି ସମାନ ଦୃଶ୍ୟ। ଧାନ ବିକ୍ରି ବେଳେ ପ୍ରତିବର୍ଷ ଚାଷୀ ନାକେଦମ୍ ହୁଅନ୍ତି। କୁଚିଣ୍ଡା ଉପଖଣ୍ଡର ଅଧିକାଂଶ ମଣ୍ଡିରେ ନାହିଁ ସାମାନ୍ୟ ଭିତ୍ତିଭୂମି। ଖୋଲା ଆକାଶ ତଳେ ଧାନ ପଡ଼ିରହେ। ସିସିଟିଭି କ୍ୟାମେରା ନ ଥିବାରୁ ସବୁ ମଣ୍ଡିରେ ଦଲାଲଙ୍କ ରାଜ୍। କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ନବୀନ ସରକାର ବହୁ ଘୋଷଣା କରୁଛନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ସେ ଟଙ୍କାରେ ପ୍ରକୃତରେ କାହାର କଲ୍ୟାଣ ହେଉଛି ତାହା ହିଁ ବଡ଼ ପ୍ରଶ୍ନ।
ଅଧିକ ପଢନ୍ତୁ ଓଡ଼ିଶା ଖବର