ଅର୍ଗସ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଆସିଛନ୍ତି ଚତୁର୍ଦ୍ଧା ବିଗ୍ରହ । ଜଗନ୍ନାଥ ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ଶତାଧିକ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି । ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର କୋଟ ସମଲାଇର ପାତାଳି ଶ୍ରୀକ୍ଷେତ୍ରଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟସ୍ନାନ ପର୍ବ ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହୋଇଛି ।
ତ୍ରିକୂଟ ପାହାଡର ଛଳିଆ ଶିଖରସ୍ଥିତ ମନ୍ଦିର ଗମ୍ଭିରିରୁ ଗୋଟି ପହଣ୍ଡିରେ ଦାରୁଦିଅଁ ମାନଙ୍କୁ ସ୍ନାନ ମଣ୍ଡପକୁ ଆଣି ନୀତିକାନ୍ତି ପରେ ସ୍ନାନ କରାଯାଇଥିଲା । ପାହାଡ଼ ପାଦଦେଶର ତ୍ରିକୂଟ କୂଅରୁ ସଂଗୃହୀତ ୧୦୮ ଗରା ସୁବାସିତ ଜଳରେ ଠାକୁର ମାନଙ୍କର ସ୍ନାନ କରାଯାଇଥିବାବେଳେ ଭୋଗରାଗ ଓ ଆଳତୀ ଆଦି କରାଯାଇଥିଲା । ଠିକ୍ ସେହିପରି ଜିଲ୍ଲାର ସୁବର୍ଣ୍ଣପୁର ସମେତ ବୀରମହାରାଜପୁର, ତରଭା, ବିନିକା ଓ ଡୁଙ୍ଗୁରିପାଲି ଅଂଚଳରେ ଥିବା ଜଗନ୍ନାଥ ମନ୍ଦିରଗୁଡିକରେ ମଧ୍ୟ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଧୁମଧାମରେ ପାଳିତ ହୋଇଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: