ଅର୍ଗସ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ପବିତ୍ର ଭଉଁରୀ ଉତ୍ସବ। ଏହି ଅବସରରେ ଶ୍ରୀମନ୍ଦିର ବିଧି ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ତିନିରଥର ଚକଡେରା ନୀତି ଅନୁକୂଳ ହେବ। ଏହି ଉତ୍ସବରେ ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ ରଥର ଦୁଇଟି ଲେଖାଁ ଚକରେ ଅଖ ସଂଯୋଗ କରାଯାଇ ଚକଡେରା ନିତି ଅନୁଷ୍ଠିତ ହୋଇଥାଏ। ଆଜି ଡେରା ଯିବାକୁ ଥିବା ଚକକୁ ନାହାକା ଚକ ଓ ଅଖକୁ ନାହାକା ଅଖ କୁହାଯାଏ।
ଭଉଁରୀ ଉତ୍ସବ ଅବସରରେ ଶ୍ରୀମନ୍ଦିର ନୀତି ପରମ୍ପରା ଅନୁଯାୟୀ, ଆଜି ପ୍ରଥମେ ଶ୍ରୀମନ୍ଦିରରେ ଯାତ ଭୋଗ ଲାଗି ହେବ ଏବଂ ଏହା ପରେ ରଥଖଳାକୁ ମହାପ୍ରଭୁଙ୍କ ନିକଟରୁ ତିନୋଟି ଆଜ୍ଞାମାଳ ଆସିବ। ଆଗରେ ଶ୍ରୀବଳଭଦ୍ର, ମଝିରେ ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ପୂଜାପଣ୍ଡା ସେବକ ଆସି ରଥଖଳାରେ ଚକଡେରା ନିତି ଅନୁକୂଳ କରିବେ। ଏଥିପାଇଁ ରଥ ଖଳାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ଏହି ନାହାକା ଚକ ଅଖରେ ଆଜି ଜୋକିଆ ଲାଗି ଅନୁକୂଳ ହେବ। କମାର ସେବକମାନେ ରଥଖଳାକୁ ଆସି ଜୋକିଆ ଲାଗି କରାଇବେ। ଭୋଇ ସେବକମାନେ ଏହି ନାହାକା ଚକ ଅଖକୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବେ। ଅନୁକୂଳ ନୀତି ସରିବା ପରେ ଏଥିରେ ଜୋକିଆ ସଂଯୋଗ କରାଯିବ। ପାଣିଆ ପାଣି ପକାଇବା ପରେ ଚକଡେରା ନୀତି ଅନୁକୂଳ ଲାଗି ପ୍ରସ୍ତୁତ ହେବ। ଆଜ୍ଞାମାଳ ଆସିବା ପରେ ନାହାକା ଚକଅଖରେ ଲାଗି ହେବ।
