ମାଆ ଦୁର୍ଗାଙ୍କ ମେଲାଣି ବେଳେ ବାଜା, ନାଚଗୀତ ଓ ରୋସଣିରେ ଦୁଲୁକିଥିଲା ରାସ୍ତାଘାଟ । ବର୍ଷାରେ ଭିଜି ଭିଜି ମାଆଙ୍କୁ ବିଦାୟ ଦେଲେ ଭକ୍ତ ଓ ଶ୍ରଦ୍ଧାଳୁ । ରାସ୍ତାରେ ଗୋଟିଏ ପରେ ଗୋଟିଏ ଧାଡ଼ି ଧାଡ଼ି ହୋଇ ଚାଲିଥିଲା ଶୋଭାଯାତ୍ରା । କିଏ ଡିଜେ ବଜାଉଥିଲା ତ ଆଉ କିଏ ପାରମ୍ପରିକ ବାଜା ବଜାଇ ମାଆଙ୍କୁ ବିସର୍ଜନ ପାଇଁ ନେଉଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହୋଇଥିଲା । ଯାହାକୁ ଦେଖିବାକୁ ଲାଗିଥିଲା ପ୍ରବଳ ଭିଡ଼ । ମାଆଙ୍କୁ ବିଦାୟ ଦେବାକୁ ବର୍ଷାକୁ ବି ଖାତିର କରି ନଥିଲେ ଭକ୍ତ । ୨ ବର୍ଷ ପରେ କରୋନା କଟକଣା ହଟିଥିବାରୁ ଏଥର ଜାକଜମକରେ ହୋଇଥିଲା ଭସାଣ ଯାତ୍ରା । ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସହର ବାଲେଶ୍ବର, ଝାରସୁଗୁଡ଼ା, ବରଗଡ, ରାଉଲକେଲାରେ ଧୁମଧାମର ସହ ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଆଉ ଶ୍ରଦ୍ଧାଳୁଙ୍କ ଉତ୍ସାହ ଆଗରେ ହାର ମାନିଥିଲା ବର୍ଷା ।
ମାଆଙ୍କ ମେଲାଣି ପାଇଁ ଚଳିତ ବର୍ଷ ଭୁବନେଶ୍ବର-କଟକରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଥିଲା । ଯେଉଁଥିରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜିତ କରାଯାଇଛୀ । ନଦୀକୁ ପ୍ରଦୂଷଣ ମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା ହୋଇଆସୁଛି । ସେପଟେ ପୁରୀରେ ଆଜି ହେବ ପ୍ରସିଦ୍ଧ ଗୋଷାଣୀ ଯାତ୍ରା । ବର୍ଷା ବାଧକ ଯୋଗୁଁ କାଲି ମେଲିଣି ଉତ୍ସବ ସମ୍ଭବ ହୋଇପାରି ନଥିଲା । ତେଣୁ ଆଜି ଗୋଷାଣୀ ମେଲଣ ପାଇଁ ସ୍ଥିର କରିଛି ପୁରୀ ଜିଲ୍ଲା ପ୍ରଶାସନ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।