ଭୁବନେଶ୍ୱର: ଆଜି ମା’ ଦୁର୍ଗା ଧରାପୃଷ୍ଠରୁ ମେଲାଣି ନେବେ । ପୁଣି ଗୋଟେ ବର୍ଷର ଅପେକ୍ଷା । ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ମାଙ୍କ ପୂଜାର ଆଜି ଅନ୍ତିମ ପର୍ଯ୍ୟାୟ । ମାଙ୍କୁ ବିଦାୟ ଦେବାର ମୂହୂର୍ତ୍ତ । ମାଙ୍କୁ ଅଶ୍ରୁଳ ବିଦାୟ ଦେବେ ଭକ୍ତ । ମା’ଙ୍କ ମେଲାଣି ପାଇଁ ଟ୍ୱିନ୍ସିସିଟିର ବିଭିନ୍ନ ଭସାଣି କମିଟି ପକ୍ଷରୁ ଚୁଡ଼ାନ୍ତ ପ୍ରସ୍ତୁତି କରାଯାଇଛି । ମେଢ ଗୁଡ଼ିକ ଏକାଠି ହୋଇ ଶୋଭାଯାତ୍ରାରେ ବାହାରି ବିସର୍ଜିତ ହେବେ । ଡ଼ିଜେ ସହ ପାରମ୍ପରିକ ବାଦ୍ୟ ସହ ସାଇ ଟୋକାମାନେ ନିଜର ବେତାଳିଆ ନାଚରେ ମାଙ୍କୁ ମେଲାଣି ଦେବେ । ଯାହାକୁ ଉପସ୍ଥିତ ଦର୍ଶକ ବେଶ ମନୋଭରି ଉପଭୋଗ କରିବେ ।
ଶୃଙ୍ଖଳିତ ଭାବେ କିପରି ଭସାଣି ଶୋଭାଯାତ୍ରାକୁ ଲୋକେ ଦେଖିବେ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିପାଇଁ କଟକରେ ଭସାଣ ଉତ୍ସବ ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି । 57 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଦିନ 11ଟା ପରେ ଗାଡି ଚଳାଚଳ ଉପରେ କଟକଣା କରାଯାଇଛି । ଦେବୀଗଡ଼ା ଘାଟରେ ବୃହତ କୃତ୍ରିମ ପୋଖରୀ ପ୍ରସ୍ତୁତ କରାଯାଇଛି । ସେହିପରି ଭୁବନେଶ୍ୱରରେ ମଧ୍ୟ କୃତ୍ରିମ ପୋଖରୀ ପ୍ରସ୍ତୁତ କରାଯାଇଛି । କୂଆଖାଇ ଓ ଦୟା ନଦୀ କୂଳରେ ବିଏମସି ପକ୍ଷରୁ ପୋଖରୀ ତିଆରି କରାଯାଇଛି । ଏହି କାରଣରୁ ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
